ସୁରତ ଫେରନ୍ତାଙ୍କୁ ନେଇ ବଢୁଛି ଚିନ୍ତା । ୯ ସୁରତ ଫେରନ୍ତାଙ୍କ ନମୂନାରେ କରୋନା ପଜିଟିଭ, ପଢ଼ନ୍ତୁ କେଉଁ ଜିଲ୍ଲାରୁ ଆସିଲେଣି କେତେ ଆକ୍ରାନ୍ତ…

4,955

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛନ୍ତି ସୁରତ ଫେରନ୍ତା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ୯ଜଣ ମଧ୍ୟରେ ଗଞ୍ଜାମରୁ ୪, ଜଗତସିଂହପୁରରୁ ୪ ଓ କଟକରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ ଜଗତସିଂହପୁରକୁ କରୋନା ବ୍ୟାପି ପ୍ରଥମ ଥର ପାଇଁ ଜିଲ୍ଲାର ନାଉଗାଁ ଅଂଚଳରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପୁରୁଷ ଓ ନିକଟରେ ସୁରତରୁ ଫେରିଥିଲେ ବୋଲି ସରକାର ସୂଚନା ଦେଇଛନ୍ତି । ସମସ୍ତେ ସୁରତରୁ ଫେରିବା ପରେ ସଂଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଆଜି ଯାଜପୁରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ , କେନ୍ଦ୍ରାପଡା, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଆକ୍ରାନ୍ତ ଜଣଙ୍କ ସୁରତ ଫେରନ୍ତା ହୋଇଥିବାବେଳେ ଅନ୍ୟ ସମସ୍ତେ କୋଲକାତା ଲିଙ୍କ୍ରେ ଆକ୍ରାନ୍ତ ହୋଇଛନ୍ତି । ଆଜି ରାଜ୍ୟରେ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି ।

ଯାଜପୁରରେ ସର୍ବାଧିକ ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଭୁବନେଶ୍ୱର ମଧୁସୂଧନନଗର ଅଂଚଳର ୭୭ ବର୍ଷିୟ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ତେବେ ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି । ସେପଟେ ବାଲେଶ୍ୱରରେ ଆଜି ଜଣେ ସୁସ୍ଥ ହେବା ସହ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୬୧ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ମୋଟ ୧୨୨ ଜଣ ଚିକିତ୍ସିତ ହେଉଛନ୍ତି ।