ଦେଶରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା? ବଡ଼ ଖୁଲାସା କଲେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ।

2,473

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣରେ ଭାରତରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ମୃତ୍ୟୁ ହେଲାଣି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବାରେ ଗତ ଗୋଟିଏ ମାସ ଭିତରେ ସାଢେ ୩ ଗୁଣା ବୃଦ୍ଧି ହୋଇଛି । ତଥାପି ମୃତ୍ୟୁ ସଂଖ୍ୟା ବଢିବାର କାରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଆଡକୁ ଇସାରା କରିଛନ୍ତି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ତାଙ୍କ କହିବା ହେଲା ଉଭୟ ଆକ୍ରାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ଭିତରେ କରୋନାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଏଥିପାଇଁ ଦାୟୀ । ରୋଗୀ ବିଳମ୍ବରେ ହସ୍ପିଟାଲ ଆସୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡୁଛି । ଶ୍ୱାସକ୍ରିୟା ଜନିତ ଗମ୍ଭୀର ସମସ୍ୟା କାରଣରୁ ଅନେକ ସମୟରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ।

ଡାକ୍ତର ଗୁଲେରିଆଙ୍କ କହିବା ହେଲା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ କେବଳ ସାମାନ୍ୟ ସ୍ୱାସ୍ଥ୍ୟ ସେବାରେ ଠିକ ହୋଇପାରିବେ । ତେବେ କେବଳ ୨୦ ପ୍ରତିଶତଙ୍କୁ ଅଧିକ ଯତ୍ନର ଆବଶ୍ୟକ ରହିଥିବାବେଳେ, ମାତ୍ର ୫ ପ୍ରତିଶତ ହିଁ ଭେଂଟିଲେଟର ଆବଶ୍ୟକ କରିଥାନ୍ତି । ତେଣୁ ୯୦ରୁ ୯୫ ପ୍ରତିଶତ କରୋନା ଆକ୍ରାନ୍ତ ଚିକିତ୍ସା ପରେ ଠିକ ହୋଇପାରୁଥିବାବେଳେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଯୋଗୁଁ ହିଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତ ନିଜର ପରୀକ୍ଷା କରିଇବା ସହ ଚିକିତ୍ସାରେ ବିଳମ୍ବ ନକଲେ ଏହାକୁ କମାଯାଇ ପାରିବ ବୋଲି ସେ କହିଛନ୍ତି ।

କରୋନା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ବାବଦରେ ସେ ସୂଚନା ଦେଇ କହିଛନ୍ତି ଯେ, ଆକ୍ରାନ୍ତଙ୍କ ଚିକିତ୍ସା ସେବା ଗତ ମାସେ ମଧ୍ୟରେ ସାଢେ ୩ ଗୁଣା ହୋଇପାରିଛି ।
– ବର୍ତ୍ତମାନ ଦେଶରେ ୩,୭୭୩ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ରହଛି
– ଏଠାରେ ଗମ୍ଭୀର ଆକ୍ରାନ୍ତଙ୍କ ପାଇଁ ୧ ଲକ୍ଷ ୯୦ ହଜାର ବେଡ ରହିଛି
– ଗୁରୁତର ରୋଗୀଙ୍କ ପାଇଁ ୨୪,୬୪୪ ଆଇସିୟୁ ବେଡ ରଖାଯାଇଛି
– ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ୧୨,୩୭୧ ଭେଟିଂଲେଟର ପ୍ରସ୍ତୁତ ରହିଛି
– ସେହିପରି ପ୍ରାଥମିକ ଚିକିତ୍ସା ପାଇଁ ୧ ଲକ୍ଷ ୬୦ ହଜାର ବେଡ ରହିଛି