କଟକରୁ ନକଲି କରୋନା ଔଷଧ ଜବତ ପ୍ରସଙ୍ଗ । ଅଧିକ ତଦନ୍ତ ପାଇଁ ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଟିମ୍ ।

90

କନକ ବ୍ୟୁରୋ: କଟକର ଏକ ମେଡିସିନ ଷ୍ଟୋରରୁ ନକଲି କରୋନା ଔଷଧ ଜବତ ଘଟଣାର ମୁମ୍ବାଇ ଲିଙ୍କ ରହିଛି କି ? ଏହି ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍ ମୁମ୍ବାଇ ଯାଇଛି । ମୁମ୍ବାଇର ମାକ୍ସ ରିଲିଫ ସଂସ୍ଥା ବାବଦରେ ଅଧିକ ଖୋଳତାଡ କରିବ ଏସଟିଏଫ । କଟକରୁ ଜବତ ହୋଇଥିବା ନକଲି ଫାଭିଫିରାଭିର ଔଷଧ ଓ ଥଣ୍ଡା ଜ୍ୱରର ନକଲି ଔଷଧ ଏହି ସଂସ୍ଥାରୁ ଆସିଥିବା ସୂଚନା ମିଳିଛି ।

ତେବେ ନକଲି ମେଡିସିନ କାରବାର ଘଟଣାରେ ମୁ୍ମ୍ବାଇରେ ଥିବା ମାକ୍ସ ରିଲିଫ ସଂସ୍ଥାର ମୁଖ୍ୟ ଗିରଫ ହୋଇଥିବା ସୂଚନା ମିଳିଛି । ଓଡିଶାରୁ ଯାଇଥିବା ଏସଟିଏଫ ଟିମ୍ ତାଙ୍କୁ ନକଲି ଔଷଧ କାରବାର ବାବଦରେ ପଚରାଉଚରା କରିବେ ବୋଲି ଜଣାପଡିଛି । ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣରେ ନକଲି ଔଷଧ ଜବତ ହୋଇଥିଲା । ଏହାପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ୍ ଏବେ ଏହି ନକଲି ଔଷଧ ଘଟଣାର ତଦନ୍ତ କରୁଛି ।