କନକ ବ୍ୟୁରୋ : ନୟାଗଡରେ କ୍ରାଇମବ୍ରାଂଚ ଏସଟିଏଫର ଚଢାଉ । ପ୍ରାୟ ୪ କିଲୋଗ୍ରାମ ବ୍ରାଉନ ସୁଗାର ସହ ନଗଦ ୭୦ ଲକ୍ଷ ଟଙ୍କା ଓ ୩ ଟି ମାଉଜର ସହ ଗୁଳି ମଧ୍ୟ ଜବତ କରିଛି ପୋଲିସ । ନୟାଗଡ ସହର ପିଡବ୍ଲ୍ୟୁଡି ଲେନରେ ଭଡାରେ ରହୁଥିବା ଜଣେ ଯୁବକଙ୍କ ଘରୁ ଏସବୁ ଜବତ କରିଛି ଏସଟିଏଫ ।

Advertisment

ସୂଚନାଅନୁସାରେ ବଡ ବ୍ରାଉନସୁଗାର ବ୍ୟବସାୟୀକୁ ଆଗରୁ ଗିରଫ କରିସାରିଥିଲା କ୍ରାଇମବ୍ରାଂଚ । ଖୋର୍ଦ୍ଧା ଅଂଚଳର ତାର ସହଯୋଗୀ ଏହି ଯୁବକ ଜଣକ ଗତ ୨ ମାସ ହେଲା ନୟାଗଡ ପିଡବ୍ଲ୍ୟୁଡି ଲେନରେ ଭଡା ଘର ନେଇ ସପରିବାର ରହୁଥିଲା । ତେବେ ପୂର୍ବରୁ ଖୋଜ ଖବର ନେଇଥିବା ଏସଟିଏଫ ଗତକାଲି ସଂନ୍ଧ୍ୟା ପ୍ରାୟ ୫ଟା ସମୟରେ ସେହି ଘର ଚାରିପାଖରେ ପଇଁତରା ମାରୁଥିଲା । ଠିକ ରାତି ୧୦ ଟା ୩୦ ରେ ଘର ଭିତରକୁ ପଶିଲା ବେଳକୁ ଅଭିଯୁକ୍ତ ଯୁବକ ଜଣକ ସିଡି ବାଟ ଦେଇ ଫେରାର ହୋଇଯାଇଥିଲା ।

ତେବେ ଘର ଖାନସଲାସ କଲାବେଳେ ପ୍ରାୟ ୪ କିଲୋଗ୍ରାମ ବ୍ରାଉନ ସୁଗାର ସହ ବିଡା ବିଡା ନୋଟ , ୭୦ ଲକ୍ଷ ଟଙ୍କା ନଗଦ ଓ ୩ ଟି ମାଉଜର ଓ ଗୁଳି ଠାବ ହୋଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କ୍ରାଇମବ୍ରାଂଚ ବ୍ରାଉନସୁଗାର, ଟଙ୍କା, ଗୁଳି, ବନ୍ଧୁକ ଇତ୍ୟାଦି ଜବତ କରିଥିଲା । ଏ ଘଟଣାକୁ ନେଇ ସାରା ନୟାଗଡରେ ଚର୍ଚ୍ଚା ଜାରି ରହଛି ।