କୋଟିଏ ଟଙ୍କାର ଧଳା ଜହରର ଚାଲିଥିଲା ବିକ୍ରି, ଜାଲ ବିଛାଇ ଧରିଲା ଏସଟିଏଫ୍ ।

128

କନକ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱରରୁ ଦୁଇ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଗିରବ ଅଭିଯୁକ୍ତଙ୍କ ଠାରୁ ପାଖାପାଖି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ୍ । ଗିରଫ ଦୁଇ ଅଭିଯୁକ୍ତ ରକିବୁଲ ଲସ୍କର ଓ ସୁଧନ୍ୟ ଗୟାନ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଭୁବନେଶ୍ୱର ରସୁଲଗଡ ଓଭରବ୍ରିଜ ତଳେ ବ୍ରାଉନସୁଗାର ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ଜାଲ ବିଛାଇ ଧରିଥିଲା ଏସଟିଏଫ ଟିମ୍ ।

ଏହି ଅଭିଯୁକ୍ତମାନେ ପଶ୍ଚିମବଙ୍କ ଲାଲଗଲାରୁ ବ୍ରାଉନସୁଗାର ଆଣି ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ଅଂଚଳରେ ବେଧଡ଼କ କାରବାର କରୁଥିଲେ । ଏହି ନେଇ ଏସଟିଏଫ ପାଖରେ ପୂର୍ବରୁ ଖବର ଥିଲା । ଆଉ ଯେତେବେଳେ ବ୍ରାଉନସୁଗାର ବିକ୍ରି ନେଇ ଡିଲ ହେଉଥିଲା ସେତେବେଳେ ଏସଟିଏଫର ସତନ୍ତ୍ର ଟିମ ରେଡ କରି ଗିରଫ କରିଥିବା ବେଳେ ତଦନ୍ତ ବେଳେ ଏମାନଙ୍କ ଠାରୁ ଆହୁରି ଅନେକ ତଥ୍ୟ ହାତରେ ଲାଗିଥିବା ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି ତେଜରାଜ ପଟେଲ ।

ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ସ୍ପେଶାଲ ଡ୍ରାଇଭ କରୁଛି ଏସଟିଏଫ । ୨୦୨୦ରୁ ଏଯାବତ୍ ୪୦ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଓ ୮୬ କ୍ୱିଣ୍ଟାଲ ୮୧ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଛି । ଆଉ ଏହି ଘଟଣାରେ ୧୦୦ରୁ ଅଧିକ ବ୍ରାଉନସୁଗାର ବେପାରୀ ଗିରଫ କରିଛି ଏସଟିଏଫ୍ ।