ବାଲେଶ୍ୱର କୁଳଡିଆ ଅଭୟାରଣ୍ୟରୁ ଜଣେ ଶିକାରୀ ଗିରଫ । ଦେଶୀ ବନ୍ଧୁକ ସହ ମୃତ ସମ୍ବର ଜବତ । ବନ ବିଭାଗର ଚଢାଉ ବେଳେ ୨ ଶିକାରୀ ଫେରାର ।

87

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା କୁଳଡିହା ଅଭୟାରଣ୍ୟର ଜଙ୍ଗଲ ଜଳୁଥିବା ବେଳେ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଏପରି ସମୟରେ ବନ୍ୟଜନ୍ତୁଙ୍କୁ ଶିକାର କରୁଛନ୍ତି ଶିକାରୀ । କୁଳଡିହା ଅଭୟାରଣ୍ୟର ଜଡାଚୁଆ ଅଂଚଳରୁ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଶିକାରୀ ଠାରୁ ଏକ ଦେଶୀ ବନ୍ଧୁକ ଗୁଳି ସହ ଓ ଏକ ମୃତ ସମ୍ବର ଜବତ କରାଯାଇଛି । ଏନେଇ ଏକ ମାମଲା ରୁଜୁ କରି ଗିରଫ ଶିକାରୀକୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।

ସୂଚନା ଅନୁସାରେ ଅଭୟାରଣ୍ୟକୁ କିଛି ଶିକାରୀ ଶିକାର ପାଇଁ ଯାଇଥିବା ଖବର ପାଇ ବନବିଭାଗ କର୍ମଚାରୀ ଚଢାଉ କରିଥିଲେ । ଚଢାଉ ବେଳେ ଦୁଇ ଶିକାରୀ ଖସିଯାଇଥିବା ବେଳେ ଜଣେ ଶିକାରୀ ଧରାପଡିଥିଲା । ଏବେ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତ ସୁଧିର ବେହେରା ଓ ସୁବାସ ବେହେରାଙ୍କୁ ଗିରଫ କରିଛି ନୟଗଡ଼ ଏସଟିଏଫ । ବାଘଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକ ତଦନ୍ତ ନେଇ ରାସାୟନିକ ପରୀକ୍ଷା ପାଇଁ ଡ଼େରାଡ଼ୁନ୍ରେ ଥିବା ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁସନ ଅଫ୍ ଇଣ୍ଡିଆକୁ ପଠାଯିବ ।

ଏହାରି ଭିତରେ ଏସଟିଏଫ୍ ୧୨ଟି ବାଘ ଛାଲ, ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ଜୀବନ୍ତ ବଜ୍ରକାପ୍ତାର ପର୍ଦ୍ଦାଫାଶ କରିଛି । ୧୩ଟି ମାମଲା ରୁଜୁ କରିଛି ଏବଂ ୨୪ଜଣଙ୍କୁ ଗିରଫ କରିଛି । ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ହେଲପ ଲାଇନ୍ ନମ୍ବର ଜାରି କରିଛି ଏସଟିଏଫ । ନମ୍ବରଟି ହେଲା ୯୪୩୯୨୬୩୬୪୬ । ଏହି ନମ୍ବରରେ ଫୋନ କରି ତଥ୍ୟ ଦେଲେ ନାମ ଗୋପନ ରଖିବା ସହ ପରୁସ୍କୃତ କରାଯିବ ବୋଲି କୁହାଯାଇଛି ।