ରାତାରାତି ଗୋରା ହେବା ପାଇଁ କ୍ରିମ୍ ବ୍ୟବହାର କରୁଥିଲେ ସାବଧାନ୍ ! ପ୍ରସାଧନ ନାଁରେ ବିକ୍ରି ହେଉଛି ଔଷଧ, ହୋଇପାରେ ଚର୍ମରୋଗ ।

1,119

କନକ ବ୍ୟୁରୋ : ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି । ଏହା ଆପଣଙ୍କ ପାଇଁ ହୋଇପାରେ ଘାତକ । ଗୋରା କରିବା ପାଇଁ ବିକ୍ରି ହେଉଥିବା କ୍ରିମ୍ ଶରୀର ପାଇଁ ସାଜିପାରେ ବଡ ବିପଦ । ଏପରିକି ଏହି କ୍ରିମକୁ ଦୀର୍ଘଦିନ ବ୍ୟବହାର କଲେ ଚର୍ମରୋଗ ବି ହୋଇପାରେ । ଏଭଳି କ୍ରିମ ବିକ୍ରି କରୁଥିବା କମ୍ପାନୀକୁ ଠାବ କରିଛି କମିଶନରେଟ୍ ପୋଲିସ । ବମିଖାଲ ଅଚଂଳରେ ଚଢାଉ କରାଯାଇ ଏହି କମ୍ପାନୀ ସି ଆଣ୍ଡ ଏଫ ବିରୋଧରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବିନା ରେଜିଷ୍ଟ୍ରେସନରେ ଏଭଳି ଔଷଧ ବିକ୍ରି ହେଉଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଚଢାଉ କରାଯାଇ ଏଭଳି ଔଷଧ ଯେଭଳି ବିକ୍ରି ନହେବ ତାର ବ୍ୟବସ୍ଥା କରାଯିବ । ଗତକାଲି ବମିଖାଲରେ ଥିବା ଏକ ଫାର୍ମାସ୍ୟୁଟିକାଲରେ ଚଢାଉ କରାଯାଇ କ୍ରିମ୍ ନାଁରେ ତିଆରି ହେଉଥିବା ଔଷଧକୁ ଜବତ କରାଯାଇଛି । ସଂପୃକ୍ତ ଫାର୍ମାସ୍ୟୁଟିକାଲ ନାଁରେ ମାମଲା ବି ରୁଜୁ ହୋଇଛି । ଗୁଣାତ୍ମକ ମାନ ଯାଂଚ ପାଇଁ ୯ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ରାତାରାତି ଗୋରା ହେବା ଲାଗି ଏବେ ବଜାରରେ ଅନେକ କ୍ରିମ୍ ଉପଲବ୍ଧ ହେଉଛି । ବିଶେଷ କରି ଯୁବପୀଢି ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ମାତ୍ର ଏସବୁ ପ୍ରଶାଧନ ସାମଗ୍ରୀ ନୁହେଁ , ବରଂ ଔଷଧ । କ୍ରିମ୍ ନାଁରେ ଏହାର ଅପବ୍ୟବହାର କରାଯାଉଛି । ଏହିସବୁ କ୍ରିମରେ ଷ୍ଟେରଏଡ ଅଛି । ଏହାକୁ ବ୍ୟବହାର କଲେ ଦୀର୍ଘଦିନ ପରେ ପାଶ୍ୱର୍ପ୍ରତିକ୍ରିୟା ହେବା ସହ ଚର୍ମରୋଗ ବି ହୋଇଥାଏ । ଏହି ସବୁ କ୍ରିମ୍ ଡ୍ରଗ୍ ଆଣ୍ଡ ମ୍ୟାଜିକ ରିମେଡିଜ, ୧୯୫୪ର ଉଲ୍ଲଙ୍ଘନ କରୁଛି ।