ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା! ପୁଅକୁ ମାରିବା ପରେ, ଝୁଲିପଡିଥିବା ଅନୁମାନ

636

କନକ ବ୍ୟୁରୋ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏହି ଛାତି ଥରାଇ ଦେବା ଭଳି ଅଭାବନୀୟ ଘଟଣା । ଏହି ଘଟଣା ଯେତିକି ବିଭତ୍ସ ସେତିକି ହୃଦୟବିଦାରକ । ମାତ୍ର ୩ବର୍ଷର କଅଁଳ କୁନି ପୁଅକୁ ମାରିବା ପରେ ସାବତ ମା’ ନିଜ ଶାଢ଼ୀରେ ଝୁଲିପଡି ଆତ୍ମହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମୟ – ସକାଳ ପ୍ରାୟ ୧୦ଟା
ସ୍ଥାନ- ଶ୍ରୀରାମନଗର, କଟକ

ବାରମ୍ବାର କଲ କରିବା ପରେ ଫୋନ୍ ନଉଠାଇବାରୁ ଭଡାଘର ନିକଟରେ ପହଞ୍ଚିଥିଲେ, ମୃତ ଶିଳ୍ପୀଙ୍କ ଭଉଣୀ । ଘର ଖୋଲିବାକୁ ବାରମ୍ବାର କବାଟ ବାଡେଇ ଥିଲେ । ହେଲେ, ଘର ନଖୋଲିବାରୁ ସନ୍ଦେହ ବଢ଼ିଥିଲା । କିଛି ଅଘଟଣର ଆଶଙ୍କା କରି ପୁଲିସକୁ ଜଣାଇଥିଲେ । ଖବର ପାଇ ପହଞ୍ଚିଥିଲା ପୋଲିସ । ଆଉ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ତାଡି ଭିତରକୁ ପଶିଥିଲା । ହେଲେ, ଘର ଭିତରେ ଯାହା ଦେଖିଥିଲେ ତାହା ସମସ୍ତଙ୍କୁ ସ୍ତବ୍ଦ କରି ଦେଇଥିଲା । ଶାଢ଼ୀରେ ଝୁଲି ରହିଥିଲେ ମା ଶିଳ୍ପୀ ଓ ତଳେ ପଡିଥିଲା କୁନି ପୁଅ । ହେଲେ, ସେତେବେଳକୁ ସବୁ ସରିଯାଇଥିଲା । ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା ।

ଖବର ପ୍ରଚାରିତ ହେବା ପରେ ଘର ଆଗରେ ଜମିଥିଲା ଲୋକଙ୍କ ଭିଡ । ପହଁଥିଲେ ମୃତ ଶିଳ୍ପୀଙ୍କ ପରିବାର ଲୋକ ଓ ସମ୍ପର୍କୀୟ । ସେହିପରି ସ୍ୱାମୀଙ୍କ ପରିବାର ଲୋକ ବି ଘଟଣାସ୍ଥଳରେ ପହଞ୍ଚି ଥିଲେ । କାନ୍ଦବୋବାଳିରେ ଫାଟିଥିଲା ପୁରା ଅଞ୍ଚଳ । ହେଲେ, ଏହି ଅଭାବନୀୟ ଘଟଣା ପାଇଁ ଉଭୟ ପରିବାର ପରସ୍ପରକୁ ଦାୟୀ କରିଥିଲେ । ଶିଳ୍ପୀଙ୍କ ପରିବାର ସ୍ୱାମୀ ସନ୍ତୋଷ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଅନ୍ୟପଟେ ଶିଳ୍ପୀ ପୁଅକୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ସନ୍ତୋଷର ମା । ସନ୍ତୋଷ ପାଲଟା ଅଭିଯୋଗ ଆଣି ପତ୍ନୀ ଓ ପୁଅର ମୃତ୍ୟୁ ପାଇଁ ଶ୍ୱଶୁର ଘର ଲୋକଙ୍କୁ ଦାୟୀ କରିଛନ୍ତି ।

ଆରୋପ ପ୍ରତ୍ୟାରୋପ ଭିତରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ପୂରା ଅଞ୍ଚଳର ଯାଞ୍ଚ କରିଛି । ସାଇଂଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରିଛି । ତେବେ ଏହି ସମୟରେ ମଧୁପାଟଣା ଥାନକୁ ଲାଲବାଗ ଥାନାର ଜଣେ ଏସଆଇ ପୋଲିସ ପୋଷାକରେ ଆସିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଏସଆଇ ଜଣଙ୍କ ସନ୍ତୋଷଙ୍କ ସମ୍ପର୍କୀୟ ହୋଇଥିବାରୁ ସେ ତଦନ୍ତକୁ ପ୍ରଭାବିତ କରିବାକୁ ଆସିଥିବା ଅଭିଯୋଗ କରିଛନ୍ତି ଶିଳ୍ପୀଙ୍କ ମାମୁଁ ।

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଶିଳ୍ପୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ ସନ୍ତୋଷ । ବିବାହବେଳେ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ଛୋଟ ପୁଅ ଥିଲା । ପୁଅକୁ ଶିଳ୍ପୀ ନିଜ ପୁଅଠାରୁ ଅଧିକ ଭଲ ପାଉଥିଲେ । କିନ୍ତୁ ଶାଶୁ ଘରେ ଅଧିକ ସମୟ ରହୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଝଗଡା ହେଉଥିଲା । ଆଉ ସେହି ପାରିବାରିକ ବିବାଦର କରୁଣ ପରିଣତି ମା- ଛୁଆଁଙ୍କ ଜୀବନ ଯାଇଛି । ତେବେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ଶିଳ୍ପୀ ଆତ୍ମହତ୍ୟା କରିଛନ୍ତି ଓ ଛ୍ରୁଆକୁ ମାରିଛନ୍ତି, ତାହେଲେ କାହିଁକି ନେଲେ ଏତେ ବଡ ନିଷ୍ପତି?