ପାକିସ୍ତାନକୁ ଜବାବ ଦିଅ ! ଗୋଟିଏ ବଦଳରେ ଦରକାର ୫୦ ମୁଣ୍ଡ

50

କନକ ବ୍ୟୁରୋ : କେଉଁ ପରିସ୍ଥିତିରେ ଦୁଇ ଭାରତୀୟ ଯବାନଙ୍କର ମୁଣ୍ଡ ଏବଂ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ପାକିସ୍ତାନ ସେନା କାଟିନେଇଥିଲେ , ସେହି ଚାଂଚଲ୍ୟକର ତଥ୍ୟ ଆଜି ପଦାକୁ ଆସିଛି । ଭାରତୀୟ ସୀମାରେ ପସି ଯବାନଙ୍କ ଶରୀରକୁ ବିକୃତ କରୁଥିଲେ କିଛି ସୈନ୍ୟ ଏବଂ ସେମାନଙ୍କୁ ଏହି କାମ କରିବା ପାଇଁ ସୁରକ୍ଷା ଦେବାକୁ ଅନ୍ଧାଧୁନ ଗୁଳି ଚଳାଉଥିଲା ପାକିସ୍ତାନୀ ସେନା ।

ସେପଟେ ଭାରତୀୟ ସେନାର ଡିଜିଏମଓ ଅର୍ଥାତ୍ ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନ୍ସ ପାକିସ୍ତାନୀ ସେନାକୁ ଚେତାବନୀ ଦେଇ କହିଛନ୍ତି, ସେମାନେ ଯେଉଁ ଘୃଣ୍ୟ କାମ କରିଛନ୍ତି ସେଥିପାଇଁ ଶାସ୍ତି ପାଇବା ଉଚିତ । ଯବାନଙ୍କ ଅଙ୍ଗପ୍ରତ୍ୟଙ୍ଗ କ୍ଷତବିକ୍ଷତ କରିବା ଘଟଣାକୁ ସହଜରେ ହଜମ୍ ଭାରତ ଗ୍ରହଣ କରିବ ନାହିଁ ଏବଂ ଏନେଇ ପାକ୍ ସ୍ପଷ୍ଟ କରିବାକୁ ହଟଲାଇନରେ  ଭାରତୀୟ ଡିଜିଏମ୍ଓ ପକ୍ଷରୁ ଦାବି କରାଯାଇଛି ।

ଏତିକିରେ ଚୁପ୍ ବସିନି ଭାରତ । ସୀମାରେ ସେନାଙ୍କୁ ଦିଆଯାଇଛି ଫ୍ରି ହ୍ୟାଣ୍ଡ ଅର୍ଥାତ୍ ପୂର୍ଣ୍ଣକ୍ଷମତା । ସୀମାରେ ଶତ୍ରୁପକ୍ଷକୁ ଜବାବ୍ ଦେବା ପାଇଁ ଆଉ ଉପରିସ୍ଥ ଅର୍ଡରକୁ ଅପେକ୍ଷା କରିବନି ସେନା । ପରମଜିତ ସିଂ ଏବଂ ପ୍ରେମ ସାଗରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ପରେ ଏତେ ତାତି ଯାଇଛି ଭାରତୀୟ ସେନା ।

ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ, ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରସ୍ତୁତ କରିଛନ୍ତି ରଣନୀତି । ସେନାର ବରିଷ୍ଠ ଉପସ୍ଥିତିରେ ପାକ୍ସେନାକୁ ଉଚିତ୍ ଶିକ୍ଷା ଦେବା ପାଇଁ ଆଲୋଚନା ହୋଇଛି । ଆଜି ଦିଲ୍ଲୀରେ ବି ଏକ ଜରୁରି ବୈଠକରେ ସୀମାରେ ପାକ୍ ସେନାର ବର୍ବରତା ନେଇ ଆଲୋଚନା ହୋଇଛି ।

ଏପଟେ ପାକ୍ ସେନା କୌଣସି ଭାରତୀୟ ଯବାନଙ୍କ ମୃତଦେହକୁ କ୍ଷତବିକ୍ଷତ କରିବା ଘଟଣାକୁ ସଫାସଫା ମନା କରିଦେଇଛି । ଆଉ ସଫେଇ ରହିଛି-ପାକ୍ ସେନା ଏକ ଶୃଙ୍ଖଳିତ ସାମରିକ ବ୍ୟବସ୍ଥାରେ ବିଶ୍ୱାସ କରେ । ଦୁନିଆର ଧ୍ୟାନ ଆକର୍ଷଣ କରିବା ପାଇଁ ଭାରତ ଏଭଳି କରୁଥିବା କହିଛି ପାକ୍ ଡିଜିଏମ୍ଓ ।

କିନ୍ତୁ ସବୁବେଳେ ମିଛର ଆଶ୍ରା ନେଇ ବିଶ୍ୱଦରବାରରେ ଠିଆ ହେଉଥିବା ପାକିସ୍ତାନକୁ ଏଥର କିନ୍ତୁ କଡ଼ା ଜବାବ୍ ଦେବା ନେଇ ପ୍ରସ୍ତୁତ ହେଉଛି ଭାରତ । ଯେଉଁ ବିଶ୍ୱ ସମୁଦାୟର ଆଢ଼ୁ ଆଳରେ ଲୁଚି ପାକ୍ କାରସାଦି ଚଳାଉଥିବା ପାକ୍କୁ ସେହି ବିଶ୍ୱସବୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାର ସମୟ ଆସିଛି ।