ମନ୍ଦିରକୁ ଫେରିବ ମାଙ୍କ ଦୁଲର୍ଭ ମୂର୍ତ୍ତି: ଧମେନ୍ଦ୍ରଙ୍କୁ ଚିଠି ଲେଖି ଜଣାଇଲେ ନିର୍ମଳା

229

କନକ ବ୍ୟୁରୋ: ଯାଜପୁରକୁ ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅର୍ଥମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ପ୍ରାୟ ୨ଶହ ବର୍ଷ ତଳର ଅଷ୍ଟଧାତୁ ମୂର୍ତ୍ତି । ଯାଜପୁର ବଡଚଣା ବ୍ଲକ ଦର୍ପଣରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ କୋଟାକ୍ଷୀଙ୍କ ପ୍ରତିମା । ରାଜାରାଜୁଡା ଅମଳରୁ ଦର୍ପଣ ଗଡର ପରିଚୟ ସାଜିଥିବା କୋଟ୍ରାକ୍ଷୀ ମନ୍ଦିରରେ ପୂଜା ପାଇ ଆସୁଥ୍ିଲେ । କିନ୍ତୁ ୨୦୨୧ ମସିହାରେ କେହି ଦୁବୃର୍ତ ଏହି ଦୁଲର୍ଭ ମୂର୍ତିକୁ ଚୋରି କରି ନେଇଥିଲେ । ଗ୍ରାମବାସୀ ଓ ଅଂଚଳବାସୀ ଯେତେ ଚେଷ୍ଟା କଲେ ବି ମାଙ୍କ ପ୍ରତିମାକୁ ଫେରାଇ ଆଣିବାରେ ସକ୍ଷମ ହୋଇନଥିଳେ । ପୋଲିସ ଖୋଜିଥିଲେ ବି ଟେର ପାଇନଥିଲା । କିନ୍ତୁ, ଏବେ ଆସିଛି ଖୁସି ଖବର ।

ଐତିହ୍ୟର ସ୍ୱାକ୍ଷର ବହନ କରୁଥିବା କୋଟ୍ରାକ୍ଷୀଙ୍କ ମୂର୍ତି ଚୋରି ହେବା ଓ ପରବର୍ତି ସମୟରେ ଦିଲ୍ଳୀରେ ଧରାପଡି କଷ୍ଟମ ବିଭାଗ ପାଖରେ ଥିବା ଖବର ପହଁଚିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ । ଆଉ ତାପରେ ମୂର୍ତିଟି କେମିତି ଫେରିବ ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଆଉ ଧର୍ମେନ୍ଦ୍ରଙ୍କ ଚିଠି ପାଇବା ପରେ ମା କୋଟ୍ରାକ୍ଷୀଙ୍କ ପ୍ରତିମାକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ମଳା । ଏହାକୁ ନେଇ ଯାଜପୁରରେ ଖୁସି ଦେଖିବାକୁ ମିଳିଛି । ଏବେ ମାଙ୍କ ମୂର୍ତି ଫେରିବାକୁ ଅପେକ୍ଷା କରିଛନ୍ତି ଦର୍ପଣ ଗ୍ରାମବାସୀଙ୍କ ସମେତ ପୂରା ଅଂଚଳ ।