ରେକର୍ଡ ରଚିଲା ଷ୍ଟାଚ୍ୟୁ ଅଫ ୟୁନିଟି । ପର୍ଯ୍ୟଟନ ଆୟରେ ତାଜମହଲକୁ ଟପିଗଲା ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତି, ବର୍ଷକରେ ବୁଲିବାକୁ ଆସିଛନ୍ତି ୨୪ ଲକ୍ଷ ପର୍ଯ୍ୟଟକ

586

କନକ ବ୍ୟୁରୋ : ନର୍ମଦା ନଦୀ କୁଳ ସରଦାର ସରୋବର ବନ୍ଧ ନିକଟରେ ନିର୍ମିତ ୧୮୨ ମିଟର ଉଚ୍ଚ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତି ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତି । ଏବେ ଷ୍ଟାଚ୍ୟୁ ଅଫ ୟୁନିଟି ସହ ଆଉ ଏକ ନୂଆ ରେକର୍ଡ ଯୋଡି ହୋଇଛି । ରୋଜଗାର ମାମଲାରେ ଷ୍ଟାଚ୍ୟୁ ଅଫ ୟୁନିଟି ସପ୍ତାଶ୍ଚର୍ଯ୍ୟ ତାଲିକାଭୁକ୍ତ ତାଜମହଲକୁ ପଛରେ ପକାଇ ଦେଇଛି । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅନୁସାରେ ଷ୍ଟାଚ୍ୟୁ ଅଫ ୟୁନିଟି ଦେଶର ଶ୍ରେଷ୍ଠ ପାଂଚଟି  ସ୍ମାରକ ମଧ୍ୟରୁ ସବୁଠୁ ଅଧିକ ଆୟ କରିଥିବା ସ୍ମାରକ ହୋଇଛି । ସୂଚନା ଅନୁସାରେ ଗୋଟିଏ ବର୍ଷ ମଧ୍ୟରେ ସର୍ଦ୍ଦାର ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତିକୁ ଦେଖିବା ପାଇଁ ୨୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ଆୟ ହୋଇଛି ୬୩ କୋଟି ୩୯ ଲକ୍ଷ ୧୪ ହଜାର ୧୨୮ ଟଙ୍କା ।

source : google

ଶ୍ରେଷ୍ଠ ୫ ଆୟକାରୀ ସ୍ମାରକ ତାଲିକାର ଏହି ତାଲିକାରେ ଦ୍ୱିତୀୟରେ ରହିଛି ତାଜମହଲ । ଯାହାକୁ ଦେଖିବା ପାଇଁ ବର୍ଷକରେ ଆସିଛନ୍ତି ୬୪ ଦଶମିକ ୫୮ ଲକ୍ଷ ପର୍ଯ୍ୟଟକ ଏବଂ ଆୟ ହୋଇଛି ୫୬ କୋଟି । ସେହିପରି ଆଗ୍ରାର ଦୁର୍ଗରୁ ଆୟ ହୋଇଛି ୩୦ କୋଟି ୫୫ ଲକ୍ଷ, ଦିଲ୍ଲୀର କୁତବମୀନାରରୁ ବର୍ଷକରେ ଆୟ ହୋଇଛି ୨୩ କୋଟି ୪୬ ଲକ୍ଷ ଟଙ୍କା । ସେହିପରି ଫତେପୁର ସିକ୍ରି ରୁ ୧୯ କେଟି ୪ ଲକ୍ଷ, ଦିଲ୍ଲୀର ଲାଲକିଲ୍ଲାରୁ  ୧୬ କୋଟି ୧୭ ଲକ୍ଷ ଟଙ୍କା ଆୟ କରିଛି । ଏହି ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ନେଇ ରାଜନୀତି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେଇଛି । ଏହା କେବଳ ରାଜନୈତିକ ପତିଆର ବଢାଇବା ପ୍ରସଙ୍ଗ ନୁହେଁ, ଏହା ଦ୍ୱାରା ଦେଶର ପର୍ଯ୍ୟଟନର ବିକାଶ ମଧ୍ୟ ହେଉଛି ବୋଲି କୁହାଯାଉଛି ।