କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ହାଇଦ୍ରାବାଦରେ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଉଦଘାଟନ କରିବେ । ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କର ୨୧୬ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଙ୍କ ସ୍ମୃତିରେ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର ନିର୍ମାଣ କରାଯାଇଛି । ସବୁଠୁ ବଡ କଥା ହେଲା, ବିଶ୍ୱରେ ବସିଥିବା ସମସ୍ତ ଧାତୁରେ ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟରେ ଏହାର ଉଚ୍ଚତା ଯଥେଷ୍ଟ ଅଧିକ ରହିଛି । ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ୧୦୦୦ତମ ଜନ୍ମ ବାର୍ଷିକୀରେ ଉଦଘାଟିତ ହେବାକୁ ଥିବା ଏହି ମୂର୍ତ୍ତି ପଞ୍ଚଧାତୁରେ ନିର୍ମିତ । ୫୪ ଫୁଟ ଉଚ୍ଚ ବିଶାଳ ଆଧାର ଭବନ ଉପରେ ଏହି ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି।

Advertisment

ଏହି ପ୍ରତିମା ପଞ୍ଚଧାତୁରେ ନିର୍ମିତ ହୋଇଛି । ସୁନା, ରୂପା, ତମ୍ବା, ପିତ୍ତଳ ଓ ଜିଙ୍କରେ ନିର୍ମିତ ହୋଇଛି । ଆଉ ଏଥିପାଇଁ ପାଖାପାଖି ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ‘ବସୁଧୈବ କୁଟୁମ୍ବକମ’ର ପ୍ରଚାର କରୁଥିବା ରାମାନୁଜ ପୂରା ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବୁଥିଲେ । ଆଉ ଏହି ଚିନ୍ତାଧାରାକୁ ପ୍ରଚାର ଜାରି ରଖିଥିଲେ । ସମାଜରେ ଉଚ୍ଚ ନୀଚ, ଧନୀ ଗରିବ ସମସ୍ତେ ରାମାନୁଜନଙ୍କ ପାଇଁ ସମାନ ଥିଲେ । ତେଣୁ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ବୋଲି କୁହାଯାଉଛି ।

ରାମାନୁଜଙ୍କର ଏହି ବିଶାଳକାୟ ପ୍ରତିମୂର୍ତ୍ତି ସହିତ ଏହା ନିକଟରେ ୧୦୮ଟି ମନ୍ଦିର ମଧ୍ୟ ତିଆରି କରାଯାଇଛି । ମୂର୍ତ୍ତି ଏବଂ ମନ୍ଦିରର କଳାକୃତି ଆଖି ଲାଖିଲା ଭଳି ହୋଇଛି। ସବୁଠାରୁ ବଡ଼କଥା ହେଉଛି ଏହି ବିଶାଳକାୟ ମୂର୍ତ୍ତି ନିକଟରେ ପୂଜା କରିବା ପାଇଁ ରାମାନୁଜଙ୍କର ୧୨୦ କେଜି ସୁନାରେ ମଧ୍ୟ ଏକ ଛୋଟ ମୂର୍ତ୍ତି ତିଆରି କରାଯାଇଛି । ବଡ ପ୍ରତିମୂର୍ତ୍ତି ତଳେ ଏହି ସୁନାର ମୂର୍ତ୍ତି ସ୍ଥାପନ କରାଯାଇଛି । ଏହି ସ୍ଥାନକୁ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ନାଁ ଦିଆଯାଇଛି । ୫୪ଟି ପଦ୍ମ ପାଖୁଡା ଉପରେ ରାମାନୁଜ ନମସ୍କାର ମୁଦ୍ରାରେ ବସିଛନ୍ତି । ୫୪ ପଦ୍ମ ପାଖୁଡା ତଳେ ରହିଛି ୩୬ଟି ହାତୀ ରହିଥିବା ବେଳେ ରାମାନୁଜ ଧରିଥିବା ତ୍ରିଦଣ୍ଡର ଉଚ୍ଚତା ରହିଛି ୧୩୫ ଫୁଟ । ଏହି ମୂର୍ତ୍ତି ନିକଟକୁ ପର୍ଯ୍ୟଟକ ଯିବା ପାଇଁ ତିଆରି ହୋଇଛି ୧୦୮ଟି ପାହାଚ ।

ତେବେ ପ୍ରତିମୂର୍ତ୍ତିର ଆକୃତି କିପରି ହେବ, ତାହା ନିର୍ଣ୍ଣୟ କରିବା ପାଇଁ ମାଟିରେ ୧୪ଟି ମୂର୍ତ୍ତି ତିଆରି କରାଯାଇଥିଲା । ଏହା ମଧ୍ୟରୁ ସର୍ବାଧିକ ପସନ୍ଦ ହୋଇଥିବା ମୂର୍ତ୍ତି ଅନୁସାରେ ଏହି ବିଶାଳ ପ୍ରତିମୂର୍ତ୍ତି ତିଆରି କରାଯାଇଥିଲା । ଏହି ପ୍ରତିମୂର୍ତ୍ତିର ୧୬ ଶହ ଅଂଶ ଚୀନରେ ତିଆରି କରାଯାଇଥିବା ବେଳେ ଏଥିପାଇଁ ତିନି ଜଣିଆ ଏକ୍ସପର୍ଟ ଟିମ୍ ଚୀନ ଗସ୍ତ କରିଥିଲେ । ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା କମ୍ପାନି ସହିତ ପ୍ରଥମେ ଆଲୋଚନା ହୋଇଥିଲା, କିନ୍ତୁ ତାହା ସଫଳ ହୋଇନଥିଲା । ପରେ ଏରୋସନ କର୍ପୋରେସନ ନାମକ କମ୍ପାନି ସହିତ ୧୪ ଅଗଷ୍ଟ, ୨୦୧୫ରେ ଚୁକ୍ତି ହୋଇଥିଲା । ୨୦୧୬ରେ କମ୍ପାନି ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥିଲା । ରାମାନୁଜଙ୍କର କରୁଣାମୟ ଚେହେରା ଦେଖାଇବା ପାଇଁ ୧୮ ଶହ ଥର ମୂର୍ତ୍ତିର ମୁହଁକୁ ଠିକ କରିବାକୁ ପଡିଥିଲା । ୬୫୦ ଟନର ଏହି ମୂର୍ତ୍ତି ତିଆରି କରିବା ପାଇଁ ଚୀନ୍ କମ୍ପାନିକୁ ୧୮ ମାସ ଲାଗିଥିଲା । ମୂର୍ତ୍ତିର ଯେଉଁ ଭାଗର ନିର୍ମାଣ ଶେଷ ହେଉଥିଲା ତାକୁ ଭାରତ ଅଣାଯାଇ ଯୋଡ଼ା ଯାଉଥିଲା । ମୂର୍ତ୍ତିଟି ୮୨ ପ୍ରତିଶତ କପରରେ ତିଆରି ହୋଇଥିବା ବେଳେ ବାକି ଅଂଶ ଜିଙ୍କ୍‌, ଟିନ୍‌, ସୁନା ଏବଂ ରୂପାରେ ତିଆରି ହୋଇଛି ।

ସନ୍ଥ ରାମାନୁଜ ଦେଶ ବିଦେଶରେ ୧୦୮ ମନ୍ଦିର ସ୍ଥାପନ କରିଥିବାରୁ ଏହି ପ୍ରତିମୂର୍ତ୍ତି ନିକଟରେ ୧୦୮ଟି ମନ୍ଦିର ତିଆରି କରାଯାଇଛି । ଏଥିପାଇଁ ରାଜସ୍ଥାନରୁ ପିଙ୍କ ଷ୍ଟୋନ ଏବଂ ବ୍ଲାକ୍ ମାର୍ବଲ ଅଣାଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରୁ ବ୍ଲାକ ଷ୍ଟୋନ୍ ଅଣାଯାଇଥିଲା । ଏଥିସହ ଏକ ସ୍ୱତନ୍ତ୍ର ଧରଣର କଳା ମାର୍ବଲ ଚୀନରୁ ଆସିଥିଲା । ଭିନ୍ନ ଭିନ୍ନ କାମ ପାଇଁ ଦକ୍ଷ କାରିଗରଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ଅଣାଯାଇ ଏହି ମନ୍ଦିର ତିଆରି କରାଯାଇଛି । ବୈଷ୍ଣବ ସମ୍ପ୍ରଦାୟ ପକ୍ଷରୁ ପ୍ରତିମୂର୍ତ୍ତି ସହ ୨୦୦ ଏକର ସ୍ଥାନରେ ପୂରା ପ୍ରକଳ୍ପ ନିର୍ମାଣ କରାଯାଇଛି । ହାଇଦ୍ରାବାଦଠାରୁ ମାତ୍ର ୪୦ କିଲୋମିଟର ଦୂର ମୁଚିଂତଲ ରୋଡରେ ଏହି ପ୍ରକଳ୍ପ ହୋଇଛି ।