ଚମକୁଛି ଝାରପଡା ଓ ଷ୍ଟେସନ ବଜାର ପୂଜା ମଣ୍ଡପ : କାରିଗରଙ୍କ କଳାକୃତିରେ ଝଲସୁଛି ତୋରଣ

157

କନକ ବ୍ୟୁରୋ : ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ପୂଜାମଣ୍ଡପ ଓ ତୋରଣକୁ ଭିନ୍ନ ଭିନ୍ନ ଥିମରେ ପ୍ରସ୍ତୁତ କରାଯାଇଛି । ଆଉ କୁଶଳୀ କାରିଗରୀଙ୍କ କଳାକୃତିରେ ଝଲସୁଛି ସୁସଜ୍ଜିତ ତୋରଣ ।

ଭୁବନେଶ୍ୱର ଝାରପଡା ପୂଜା ମଣ୍ଡପ ଓ ଷ୍ଟେସନ ବଜାର । ପ୍ରତିବର୍ଷ କିଛି ନିଆରା କରିବାକୁ ଚେଷ୍ଟା କରି ଆସୁଥିବା ଷ୍ଟେସନ ବଜାର ପୂଜା କମିଟି, ଏଥର ଗଭୀର ସମୁଦ୍ର ଭିତରେ ଲୀନ ହୋଇଥିବା ଦ୍ୱାରକା ନଗରୀର ଦୃଶ୍ୟକୁ ନେଇ ପ୍ରସ୍ତୁତ କରିଛି ପୂଜା ମଣ୍ଡପ । ସୁକ୍ଷ୍ମ କାରୀଗରିରେ ଶୋଭା ପାଉଛି, ଗଭୀର ସମୁଦ୍ର ଭିତରର ଅବିକଳ ଦୃଶ୍ୟ । ଯେଉଁଥିରେ ବୁଡି ରହିଛି ଦ୍ୱାରିକା ନଗରୀର ରାଜପ୍ରସାଦଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର । ଆକର୍ଷଣୀୟ କରିବା ପାଇଁ ସୋଲ ଓ ବିଭିନ୍ନ ସାମଗ୍ରୀରେ ତିଆରି ପଶୁ, ପକ୍ଷୀ, ସାମୁଦ୍ରିକ ଜୀବଙ୍କୁ ସ୍ଥାନିତ କରାଯାଇଛି । ମଣ୍ଡପ ଭିତରେ ପରିକଳ୍ପନାର ଏଲଇଡି ସୋ’ର ବ୍ୟବସ୍ଥା ରହିିଛି । ତୋରଣକୁ ପୁରୁଣା କଲିକତା ଶୈଳୀରେ ନିର୍ମାଣ କରାଯାଇଛି ।

ସମ୍ପୂର୍ଣ୍ଣ ନୂଆ ଥିମ ଓ ପୂଜା କମିଟିର ନିଜସ୍ୱ ପରିକଳ୍ପନାରେ ପ୍ରସ୍ତୁତ ହୋଇଛି ଝାରପଡା ପୂଜା ମଣ୍ଡପ । ପୂଜା କମିଟି ପକ୍ଷରୁ ତୋରଣର ନା ଦିଆଯାଇଛି ଗୋଲଡେନ୍ ପ୍ୟାଲେସ୍ । ମଣ୍ଡପର ଭିତର ପାଶ୍ୱର୍କୁ ବିଭିନ୍ନ ପ୍ରକାରର ମଞ୍ଜି, ଛେଲି ଓ ଫଳମୂଳରେ ସଜ୍ଜା ଯାଇଛି । ଏହି ମଣ୍ଡପର ବିଶେଷତ୍ୱ ହେଉଛି ଏଠାରେ ହିନ୍ଦୁ ମୁସଲିମର ଭେଦଭାବ ନାହିଁ । ସମସ୍ତେ ମିଶିକି ହିନ୍ଦୁ ମୁସଲିମ୍ ପୂଜା କରନ୍ତି । ଗହଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି ।

ପାର୍ବଣକୁ ନେଇ ଉତ୍ସବ ମୁଖର ଗାଁଠୁ ସହର । ରଙ୍ଗ ବେରଙ୍ଗର ଆଲୋକରେ ଝଲସୁଛି ପୂଜା ମଣ୍ଡପ ଓ ଆଖପାଖ ଅଞ୍ଚଳ । ଏହାରି ଭିତରେ ବିଭିନ୍ନ ପୂଜା ମଣ୍ଡପରେ ଏବେଠୁ ଜମିଲାଣି ଲୋକଙ୍କ ଗହଳି । ଆଉ ସବୁଠି ମା’ଙ୍କ ଆଗମନକୁ ଅପେକ୍ଷା ।