୨୦୨୨ ମସିହାର ଗୃହ ବିଭାଗର ଶ୍ୱେତପତ୍ର : ୨୦୨୧ ତୁଳନାରେ ୨୨ରେ ବଢିଛି ୧୫% ଅଧିକ ଅପରାଧ

96

କନକ ବ୍ୟୁରୋ : ପ୍ରକାଶ ପାଇଛି ୨୦୨୨ ମସିହାର ଗୃହ ବିଭାଗର ଶ୍ୱେତପତ୍ର । ୧୨ ପୃଷ୍ଠାର ଏହି ଶ୍ୱେତପତ୍ରରେ ରାଜ୍ୟର ଅପରାଧ ସ୍ଥିତି, ଆଇନଶୃଙ୍ଖଳା ପରିସ୍ଥିତି, ଶିଳ୍ପ ବାତାବରଣର ସାମଗ୍ରିକ ଚିତ୍ର ଦିଆଯାଇଛି । ଅପରାଧ ସ୍ଥିତିକୁ ଦେଖିଲେ ୨୦୨୨ ମସିହାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ୨୦୨୧ ତୁଳନାରେ ୨୦୨୨ରେ ଅପରାଧ ୧୫ ପ୍ରତିଶତ ବଢିଛି ।

ଏଥି ମଧ୍ୟରୁ ୩୧୮୪ଟି ଦୁଷ୍କର୍ମ, ୧୧,୬୬୩ ମୋଟର ଯାନ ଦୁର୍ଘଟଣା, ୧୩୭୯ ହତ୍ୟା ମାମଲା ରହିଛି । ୨୦୨୨ରେ ମୋଟ ରୁଜୁ ହୋଇଥିବା ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧୩୫ଟି ମାମଲାରେ ସତ୍ୟତା ରହିଛି ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି । ଆଉ ବର୍ଷ ଶେଷ ସୁଦ୍ଧା ୨୨୩୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୧୧, ୬୬୩ଟି ମୋଟରଯାନ ଦୁର୍ଘଟଣା ମାମଲା ମଧ୍ୟରୁ ୧୧, ୫୬୧ଟି ମାମଲାରେ ସତ୍ୟତା ରହିଥିବା ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

ଶ୍ୱେତପତ୍ର ଅନୁସାରେ, ୧୩୭୯ ହତ୍ୟା ମାମଲା ରୁଜୁ ହୋଇଛି । ସେହିଭଳି ୬୨୬ ଡକାୟତି, ୨୯୯୮ ଲୁଣ୍ଠନ, ୫୪୬୭ ସିନ୍ଧି ଚୋରିର ତଥ୍ୟ ବି ଅଛି । ଗୃହ ବିଭାଗର ଶ୍ୱେତପତ୍ରରେ ୨୦୨୨ ମସିହାରେ ରାଜ୍ୟରେ ୨୨ ୪୮ ଦଙ୍ଗା ମାମଲା ରୁଜୁ ହୋଇଛି । ଆଉ ବର୍ଷ ଶେଷ ସୁଦ୍ଧା ୧୩୬୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ ମାମଲା ସତ ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି ।

ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ଆଉ ୫୧ ହଜାର ୧୮୮ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ କୁହାଯାଇଛି ।