ମାଟ୍ରିକ ଡ୍ରପଆଉଟ ହାରକୁ ନେଇ କେନ୍ଦ୍ରର ତଥ୍ୟ ଉପରେ ରାଜ୍ୟର ଆପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ । ସଠିକ ତଥ୍ୟ ପ୍ରକାଶ କରିବାକୁ ଅନୁରୋଧ

167

କନକ ବ୍ୟୁରୋ: ଓଡିଶାରେ ଡ୍ରପ-ଆଉଟ୍ ହାର ଦେଶରେ ସର୍ବାଧିକ, ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଦେଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ଆପତି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷରେ ୟୁଡିଆଇଏସଇ ପ୍ଲସ ତଥ୍ୟ ବହୁପୂର୍ବରୁ କେନ୍ଦ୍ରକୁ ପଠାଯାଇଛି । ଏହି ତଥ୍ୟ ଅନୁସାରେ ରାଜ୍ୟରେ ଡ୍ରପ ଆଉଟ୍ ହାର ପ୍ରାୟ ୨୦ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟନ୍ୟା ପାଠ୍ୟକ୍ରମରେ ପାଠ ପଢ଼ୁଥିବା ୧ଲକ୍ଷ ୪୦ ହଜାର ପିଲାଙ୍କର ତଥ୍ୟକୁ ହିସାବକୁ ନେଲେ ଡ୍ରପଆଉଟ୍ ୧୫ ପ୍ରତିଶତକୁ ହ୍ରାସ ପାଇବ । ତେଣୁ ରାଜ୍ୟର ଡ୍ରପ-ଆଉଟ୍ ହାରକୁ ସଠିକ ଭାବେ ଆକଳନ କରି ୨୦୨୨-୨୩ ଶିକ୍ଷା ବର୍ଷର ତଥ୍ୟକୁ ଯଥାଶୀଘ୍ର ପ୍ରକାଶ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ଏଥିସହ ରାଜ୍ୟରେ ପ୍ରଚଳିତ ଅନ୍ୟାନ୍ୟ ଅନୁଷ୍ଠାନ ଓ ପତ୍ର ବିନିମୟ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବାର ସୁଯୋଗ ପ୍ରଦାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୋମବାର ଡିଏମକେ ଦଳର ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତରରେ ଦେଶର ଡ୍ରପଆଉଟ୍ ହାର ନେଇ ସଂସଦରେ ତଥ୍ୟ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ସେ ଦର୍ଶାଇଥିଲେ ଓଡିଶାରେ ୨୦୨୧-୨୨ରେ ସର୍ବାଧିକ ୪୯. ୯ପ୍ରତିଶତ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାଠ ଛାଡିଛନ୍ତି । ଯାହାକି ଦେଶର ଡ୍ରପଆଉଟ୍ ହାରଠାରୁ ଅଧିକ । ଏଭଳି ତଥ୍ୟ ଆସିବା ପରେ ରାଜନୈତିକ ବୟାନବାଜି ଜୋର ଧରିଥିଲା ।