ଟେନସନ ଦେଉଛି ଗଞ୍ଜାମ : ବଢୁଛି ସଂକ୍ରମଣ , ଯାଉଛି ଜୀବନ । ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଥିବା ବେଳେ ୩୦ଜଣ ପ୍ରାଣ ହରାଇଲେଣି

Advertisment
ଟେନସନ ଦେଉଛି ଗଞ୍ଜାମ : ବଢୁଛି ସଂକ୍ରମଣ , ଯାଉଛି ଜୀବନ । ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଥିବା ବେଳେ ୩୦ଜଣ ପ୍ରାଣ ହରାଇଲେଣି

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ବଢୁଛି ସଂକ୍ରମଣ, ଦିନକୁ ଦିନ ଅଧିକ ଘନଉଛି। ରାଜ୍ୟରେ ଚିହ୍ନଟ ସମୁଦାୟ ପଜିଟିଭ୍‌ଙ୍କ ମଧ୍ୟରୁ ୩୬ ପ୍ରତିଶତ କେବଳ ଗଞ୍ଜାମର। ଜୁଲାଇ ମାସ ଘାତକ ସାଜିଛି। ଜୁଲାଇ ପ୍ରଥମ ୯ ଦିନରେ ଜିଲ୍ଲାର ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି। ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ଅଧିକରୁ ଅଧିକ ସ୍ଥାନୀୟ ଲୋକ ସଂକ୍ରମିତ ହେଉଛନ୍ତି। ଏସବୁ ଅନୁଧ୍ୟାନ କଲେ ଗୋଷ୍ଠୀ ସଂକ୍ରମଣ ଯେ ଜିଲ୍ଲାରେ କାୟା ବିସ୍ତାର କରି ସାରିଲାଣି, ଏହାକୁ ଅସ୍ବୀକାର କରିହେବ ନାହିଁ। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ସୀମା ସିଲ୍‌ ଭଳି ପଦକ୍ଷେପ ଆଉ କାମ ଦେଉନି। ଜିଲ୍ଲା‌ରେ ଇତିମଧ୍ୟରେ ୩ ଥର ସମୂହ ସ୍ବାସ୍ଥ୍ୟ ଯାଞ୍ଚ ସରିଲାଣି। ଆଜିଠାରୁ ଜିଲ୍ଲାର ସବୁ ସହରାଞ୍ଚଳରେ ସ୍ବାସ୍ଥ୍ୟ ଯାଞ୍ଚ୍‌ ଲାଗି ପୁଣି ପାଞ୍ଚ ଦିନ ସଟ୍‌ଡାଉନ୍‌ ଆରମ୍ଭ ହୋଇଛି। ଏଥର ଟିକେ ଉନ୍ନତ ଧରଣର ସ୍ବାସ୍ଥ୍ୟ ଯାଞ୍ଚ ହେବ ଓ ୨୦୦ ଟିମ୍‌ ଗଠନ ହୋଇଛି। ପ୍ରତି ଟିମ୍‌ରେ ଜଣେ ଡାକ୍ତର ଓ ଅକ୍ସିମିଟର୍‌ ମାଧ୍ୟମରେ ଯାଞ୍ଚ ହେବ ବୋଲି ଜିଲ୍ଲା ପ୍ରଶାସନ କହୁଛି। ଏହି ପାଞ୍ଚ ଦିନ ଜିଲ୍ଲା ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଏକ ସ୍ବତନ୍ତ୍ର ରଣନୀତି ଆପଣାଇବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ରାଜ୍ୟରେ କରୋନା ପାଦ ‌ନ ଦେଉଣୁ ଗଞ୍ଜାମ ଜିଲ୍ଲାରେ କଟକଣା ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୦ ତାରିଖ ଠାରୁ ଇତିମଧ୍ୟରେ ଜିଲ୍ଳାରେ ୧୪୪ଧାରା ଜାରି, ଲକ୍‌ଡାଉନ୍‌, ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌, ଆଂଶିକ ସଟ୍‌ଡାଉନ୍‌, ୧୪ଘଣ୍ଟା ଲକ୍‌ଡାଉନ୍‌, ସୀମା ସିଲ ଭଳି ବିଭିନ୍ନ ପଦକ୍ଷେପ ବାରମ୍ବାର ନିଆଯାଉଛି। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀମାନେ ଜିଲ୍ଲାକୁ ଫେରିବା ପରେ ମେ ୨ତାରିଖ କରୋନା ପ୍ରଥମ ପାଦ ଥାପି ସମଗ୍ର ଜିଲ୍ଲାକୁ ଗ୍ରାସି ଗଲାଣି। ଜିଲ୍ଲାରେ କରୋନା ପାଦ ଦେବା ପରଠାରୁ ଅଧିକାଂଶ ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହେଉଥିଲେ। ରାଜ୍ୟକୁ ପ୍ରାୟ ୫ଲକ୍ଷ ୮୦ହଜାର ପ୍ରବାସୀ ଫେରିଥିବା ବେଳେ ସେଥିରୁ ୨ଲକ୍ଷ ୨୫ହଜାର କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି। ପ୍ରବାସୀମାନେ ଗୃହ ସଙ୍ଗରୋଧକୁ ଯିବା ପରେ ଜିଲ୍ଲାରେ କରୋନା ବିପତ୍ତି ବଢ଼ିବାରେ ଲାଗିଛି। ଜୁନ୍‌ ୩ତାରିଖ ପର ଠାରୁ ଜିଲ୍ଲରେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଲାଗିଛି।

ଜିଲ୍ଲାରେ ସଂକ୍ରମଣ ଓ ମୃତ୍ୟୁ ହାର ମଧ୍ୟ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ରାଜ୍ୟରେ ଆଜି ସୁଦ୍ଧା୧୧,୨୦୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରେ କେବଳ ଗଞ୍ଜାମ ଜିଲ୍ଲାର ୩୦୯୬ଜଣ ରହିଛନ୍ତି। କରୋନାରେ ରାଜ୍ୟର ୫୨ଜଣଙ୍କ ମୃତ୍ୟୁ ଘଟିଥିବା ସେଥିରୁ ଗଞ୍ଜାମ ଜିଲ୍ଲା କେବେଳ ୩୦ଜଣ ପ୍ରାଣ ହରାଇଛନ୍ତି। ଏଥିରୁ ଜିଲ୍ଲାର ସ୍ଥିତି କେତେ ସଙ୍ଗିନ ତାହା ଜଳ ଜଳ ଦେଖାଯାଉଛି। ବର୍ତ୍ତମାନ ଜିଲ୍ଲାରେ ଯାହା ସ୍ଥିତି ରହିଛି ଏଥିରେ ଯଦି କିଛି ସୁଧାର ନ ଆସେ ସ୍ଥିତି ଆହୁରି ଗମ୍ଭୀର ହେବା ସାଙ୍ଗକୁ ସଂକ୍ରମଣ ଓ ମୃତାହତଙ୍କ ସଂଖ୍ୟା ଉପରେ ରୋକ୍‌ ଲଗାଇବା କଷ୍ଟକର ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe