କନକ ବ୍ୟୁରୋ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି କି କୌଣସି ସାଂସଦ କିମ୍ବା ବିଧାୟକଙ୍କ ଉପରେ ଚାଲିଥିବା ଅପରାଧୀକ ମାମଲା ବିନା ହାଇକୋର୍ଟଙ୍କ ଅନୁମତିରେ ପ୍ରତ୍ୟାହାର ହୋଇପାରିବ ନାହିଁ । ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାର ସମାଧାନ ବାବଦରେ ସେମାନଙ୍କ ମୁଖ୍ୟ ବିଚାରପତିଙ୍କୁ ଜଣାଇବାକୁ କୋର୍ଟ ସମସ୍ତ ହାଇକୋର୍ଟ ରେଜିଷ୍ଟାର ଜେନେରାଲମାନଙ୍କୁ କହିଛନ୍ତି । ଏହାସହ ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାର ବିଚାର ଓ ସମାଧାନ କରିବାକୁ ସୁପ୍ରିମକୋରର୍ଟ ଏକ ସ୍ୱତନ୍ତ୍ର ବେଞ୍ଚ ଗଠନ କରିବେ ବୋଲି ଜଣାପଡିଛି ।

Advertisment

ଅନ୍ୟପଟେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାର ରିପୋର୍ଟ ଦାଖଲ ନକରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଏନଭି ରମନ୍ନା କହିଛନ୍ତି କି “ଆମେ ପ୍ରଥମେ କେନ୍ଦ୍ରକୁ ଅନୁରୋଧ କରିଥିଲୁ କି କୋର୍ଟ ସାଂସଦ ଓ ବିଧାୟକମାନଙ୍କୁ ଭେଟିବାକୁ ସକ୍ଷମ ନୁହେଁ” । ତେଣୁ ସରକାର ତୁରନ୍ତ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଥିବା ମାମଲାର ସ୍ଥିତି ରିପୋର୍ଟ ଦାଖଲ କରନ୍ତୁ ।

ଆମିକସ୍ କ୍ୟୁରୀ ବିଜୟ ହଂସରିଆଙ୍କ ରିପୋର୍ଟ ଉପରେ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି । ରିପୋର୍ଟ ମୁତାବକ ୟୁପି ସରକାର ମୁଜାଫରନଗର ଦଙ୍ଗାରେ ଅଭିଯୁକ୍ତ ବିଜେପି ବିଧାୟକଙ୍କ ବିରୋଧରେ ଚାଲିଥିବା ୭୬ ଟି ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଥିବା ବେଳେ କର୍ଣ୍ଣଟକ ସରକାର ବିଧାୟକଙ୍କ ବିରୋଧରେ ୬୧ ଟି ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ସରକାର ବି ବିଧାୟକଙ୍କ ବିରୋଧରେ ଚାଲିଥିବା କିଛି ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି । ଏସବୁକୁ ନେଇ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇ କହିଛନ୍ତି କି ବିନା ହାଇକୋର୍ଟଙ୍କ ଅନୁମତିରେ ବିଧାୟକ କିମ୍ବା ସାଂସଦଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ ।