କନକ ବ୍ୟୁରୋ : ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନର ସଂକ୍ରମଣ ବଢୁଥିବା ବେଳେ ରାଜ୍ୟ ଗୁଡିକ ପାଇଁ  ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ନିୟମ ପାଳନ କରିବାରେ ଅବହେଳା ନକରି କଡାକଡି ଭାବେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ରାଜ୍ୟ ଗୁଡିକର ସଂକ୍ରମଣ ହାର ଏବଂ ଦୁଇ ଗୁଣା ସଂକ୍ରମଣର ସମୟ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଟିକାକରଣକୁ ଜୋରଦାର କରିବାକୁ କହିଛି କେନ୍ଦ୍ର । ଶତ ପ୍ରତିଶତ ଟିକାକରଣ ନିଶ୍ଚିତ କରିବାକୁ କୁହାଯାଇଛି । ଏହାସହ ଡୋର ଟୁ ଡୋର କ୍ୟାମ୍ପେନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

Advertisment

ଆଗକୁ ନୂଆବର୍ଷ ଥିବା ବେଳେ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି କରିବାକୁ ରାଜ୍ୟକୁ କହିଛି କେନ୍ଦ୍ର । ନାଇଟ କର୍ଫ୍ୟୁ ଜାରି କରିବା ସହ ବଡ ଧରଣର ଭିଡ ନକରିବାକୁ ପରାମର୍ଶ ଦେଇଛି  । ଏହାସହ ଆଗକୁ ନିର୍ବାଚନ ଥିବା ରାଜ୍ୟ ଗୁଡିକରେ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ।

ଏସବୁ ଭିତରେ ଓଡ଼ିଶାରୁ ଆଉ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ନାଇଜେରିଆରୁ ଫେରିଥିବା ୨ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । ଦୁଇ ଜଣଙ୍କ ବୟସ ୧୧ ଓ ୧୫ ବର୍ଷ  । ଦୁଇ ଜଣ ଝିଅ ବାପା ମାଆଙ୍କ ସହ ୧୩ ତାରିଖରେ ନାଇଜେରିଆରୁ ଫେରିଥିଲେ । ଦୁଇ ଝିଅ ଓମିକ୍ରନ୍ ସଂକ୍ରମିତ ହୋଇଥିବା ବେଳେ ବାପା ମାଆ ଓ ଡାଇଭ୍ରର ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେମାନେ ସିଧାସଳଖ ଟ୍ୟାକ୍ସି ଯୋଗେ ଘରକୁ ଯାଇଥିଲେ । ସରକାରଙ୍କ ନିୟମ ଅନୁସାରେ ସେମାନେ ସଂଗରୋଧରେ ରହିଥିଲେ । ଏବେ ଦୁଇ ଝିଅଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦୁଇ ନୂଆ ଓମିକ୍ରନ୍ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ଏହି ସଂଖ୍ୟା ୪ ଛୁଇଁଛି ।

କେବଳ ରାଜ୍ୟରେ ନୁହେଁ ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ତାମିଲନାଡ଼ୁରୁ ଦିନକରେ ୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୩୪ ଜଣ ଓମିକ୍ରନ୍ ଚିହ୍ନଟ ହୋଇଥିବା ତାମିଲନାଡ଼ୁ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ପୁଣି କର୍ଣ୍ଣାଟକରୁ ୧୨ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ୩୧ଜଣ ଓମିକ୍ରନ ପଜିଟିଭ ଅଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତମାନ ସୁଦ୍ଧା ୨୮୬ରୁ ଅଧିକ ଜଣ ଓମିକ୍ରନ ସଂକ୍ରମିତ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଦିଲ୍ଲୀରେ ୬୪ ଜଣ ସଂକ୍ରମିତ ହୋଇଛନ୍ତି । ମହିଶୁରରେ ଜଣେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ବର୍ଷ ଶିଶୁ ପ୍ରଥମ ଓମିକ୍ରନ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବର୍ତମାନ ସୁଦ୍ଧା ୧୬ଟି ରାଜ୍ୟରୁ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇସାରିଲେଣି ।