କନକ ବ୍ୟୁରୋ : ଜଙ୍ଗଲୀ ହରିଣ ଦେହରେ ମିଳିଲା ଓମିକ୍ରନ୍ ଭୂତାଣୁ । ପୂର୍ବରୁ ଜଙ୍ଗଲୀ ଜନ୍ତୁଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ପ୍ରଥମଥର ହରିଣ ଦେହରେ କରୋନାର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇଛି । ଷ୍ଟେଟେନ ଆଇଲ୍ୟାଣ୍ଡରେ ହରିଣର ଏକ ସ୍ୱତନ୍ତ୍ର ପ୍ରଜାତି ହ୍ୱାଇଟ ଟେଲ୍ଡ ଡିଅରଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି ।

Advertisment

ଗବେଷଣା ପରେ ଜଣାପଡିଛି ଯେ, ଏହି ପ୍ରଜାତିର ହରିଣ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ତେବେ ଚିନ୍ତାର ବିଷୟ ହେଲା ଆମେରିକାରେ ଏହି ପ୍ରଜାତିର ହରିଣ ଜନବସତି ଆଖପାଖରେ ଦେଖା ଯାଆନ୍ତି । ଆମେରିକା କୃଷି ବିଭାଗ ଅନ୍ୟ ୧୩ଟି ରାଜ୍ୟରେ ହରିଣଙ୍କଠାରେ କରୋନା ଭୂତାଣୁ ଥିବା ସୂଚନା ଦେଇଛି । ମଣିଷଙ୍କ ଦେହରୁ ହରିଣକୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ପୁଣି ହରିଣ ଦେହରୁ ଏହା ମଣିଷକୁ ସଂକ୍ରମିତ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି ।

ସେହିପରି ହରିଣ ଦେହରେ ଥାଇ ଭୂତାଣୁ ମ୍ୟୁଟେସନ ହେବାର ଆଶଙ୍କା ମଧ୍ୟ ରହିଛି । ତେଣୁ ହରିଣା ଦେହରେ କରୋନାର ଏକ ନୂଆ ପ୍ରଜାତି ସୃଷ୍ଟି ହୋଇ ଏହା ମଣିଷ ଦେହକୁ ଆସିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବନାହିଁ ବୋଲି ଗବେଷଣା ପରେ କୁହାଯାଇଛି ।