କନକ ବ୍ୟୁରୋ : ଜଣେ ଆଇଏଏସଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଆଇନଜୀବୀ । ସହଦେବ ଖୁଣ୍ଚା ଥାନାରେ ଆଇଏଏସ ସାମଲ କଲ୍ୟାଣରାଓ ଭଗତଙ୍କ ନାଁରେ ଏତଲା ଦେଲେ ଆଇନଜୀବୀ ପୁରୁଷୋତ୍ତମ ଦାସ । ଅଭିଯୋଗ ଅନୁସାରେ ଗତ ୬ ତାରିଖରେ ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତଙ୍କୁ ଭେଟିବାକୁ ସରକିଟ ହାଉସକୁ ଆଇନଜୀବୀ ପୁରୁଷୋତ୍ତମ ଦାସ ଯାଇଥିଲେ । ସରକିଟ ହାଉସ ବାହାରେ ବିଧାୟକଙ୍କ ଗାଡ଼ି ଥିବା ବେଳେ ଅଫିସରେ ସେ ନଥିଲେ ତେଣୁ କାଳେ ଅନ୍ୟ କେଉଁଠି ଥିବେ ବୋଲି ଖୋଜିବା ବେଳେ ଦେଖିଲେ ଗୋଟିଏ କଠୋରୀର କବଟା ଦରଆଉଜା ହୋଇ ରହିଛି । ଖୋଲିକି ଭିତରେ ଦେଖିଲେ ଜଣେ ମହିଳା ଆଇଏଏସ ଅଧିକାରୀ ବସିଛନ୍ତି । ତୁରନ୍ତ ସେଠାରୁ ପଲାଇଆସିବା ସମୟରେ ସଂପୃକ୍ତ ମହିଳା ତାଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ରହ ତତେ ଆଇଏଏସଙ୍କ ପାୱାର ଦେଖାଉଛି କହି ଧମକଚମକ ଦେଇ କ୍ଷମା ମାଗିବାକୁ କହିଥିଲେ ।
କ୍ଷମା ମାଗି ପୁରୁଷୋତ୍ତମ ଘରକୁ ଫେରିଆସିଥିଲେ । ଗତ ୯ ତାରିଖରେ ପୁଲିସ ତାଙ୍କୁ ଘରୁ ଉଠାଇ ଆଣି ଥାନାରେ ଦୀର୍ଘ ସମୟ ଅଟକ ରଖିଥିଲା । ୧୦ ତାରିଖ ଦିନ ପୁଣି ଘରୁ ଥାନାକୁ ଉଠାଇ ନେଇଥିଲେ, ସେହି ସମୟରେ ମହିଳା ଆଇଏଏସ ଥାନାକୁ ଆସି ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଗାଳିଗୁଲଜ କରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ପୁରୁଷୋତ୍ତମ ଏତଲାରେ ଅଭିଯୋଗ କରିଛନ୍ତି । ଜଣେ ଆଇଏଏସ ଅଧିକାରିଣୀ ବସିଥିବା ରୁମର କବାଟ ଖୋଲି ଅନେଇ ଦେଇଥିବାରୁ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ପୋଲିସ ଦ୍ଵାରା ଦିଆଯାଇଛି । ଏପରିକି କୋର୍ଟ ଫରୱାର୍ଡ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଆଇନଜୀବୀ ପୁରୁଷୋତ୍ତମ ଦାସ୍ ।