କନକ ବ୍ୟୁରୋ: ତୁନି ପଡିଯାଉଛି ପାଟି, ଅକୁହା କୋହ ସହ କଇଁ କଇଁ ହୋଇ କାନ୍ଦୁଛି ଭଉଣୀ । ହଁ ଏ ଲୁହକୁ ସେ କେମିତି ବା ରୋକିବ !! କେତେ ସ୍ନେହ-ଶରଧାରେ ଦୁଇ ଭାଇଙ୍କ ପାଇଁ ଖାଇବା ତିଆରି କରିଥିଲା ହେଲେ ବିଧାତାର ବିଡ଼ମ୍ବନା ପାଇଁ ଖାଇବା ଅଛି କିନ୍ତୁ ଖାଇଲାବାଲା ଆଉ ନାହିଁ । ପୂରା ପରିବାର ଆଖିରେ ଲୁହ ଆଣିଦେଇଗଲା ଲୌହ ଦାନବ ।
ଜୀବନକୁ ବୁଝିବା ଆଗରୁ ଜୀବନ ନେଇଗଲା ଯମ । ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଭାଇଙ୍କ ପ୍ରାଣ । ଲୌହଦାନବର ରକ୍ତର ଭୋଜି ପରେ ଲୁହରେ ଭିଜୁଛି ରାଉରକେଲାର ହରିପୁର ବସ୍ତି l କିଛି ସମୟ ପୂର୍ବର ଭଉଣୀଙ୍କୁ ଖାଇବା ବାଢ଼ି ଦେ କହି ଆଉ ଫେରିଲେନି ଦୁଇ ଭାଇ । ରାଉରକେଲା ବାସନ୍ତୀ କଲୋନୀ ହରିପୁରର ରଞ୍ଜନ ପାତ୍ର ଓ ଜଗନ୍ ପାତ୍ର । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ଦୁଇଭାଇ । ଗୋଟିଏ ଟ୍ରେନ ଛିଡା ହୋଇଥିବା ଦେଖି ତାରି ଚକ ତଳେ ପାର୍ ହେଉଥିଲେ ଦୁଇ ଭାଇ । ହେଲେ ଏତିକିବେଳେ ସାମ୍ନା ପଟରୁ ଆସୁଥିବା ବରସୁଆଁରୁ ବୀରମିତ୍ରପୁର ପେସେଞ୍ଜର ଟ୍ରେନ୍ ସିଧା ସଳଖ ଧକ୍କା ଦେଇଥିଲା । ସେଠାରେ ହିଁ ଦୁଇ ଭାଙ୍କ ମୃତ୍ୟୁ ହୋଇଥିଲା ।
ସେପଟେ ଘଟଣା ସ୍ଥଳରେ ଜିଆରପି ପୁଲିସ ଦୁଇ ଭାଇଙ୍କ ମୃତ ଦେହ ଜବତ୍ କରି ପୋଷ୍ଟମର୍ଟମ ପାଇଁ ପଠାଇଛି l ବାଲେଶ୍ଵରରେ ରହୁଥିବା ମୃତକଙ୍କ ବାପାଙ୍କୁ ଖବର ଦେଇଛି ଜିଆରପି, ଘଟଣାକୁ ନେଇ ଏକ ଉଚ୍ଚ ସ୍ଥରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା l ରାଉରକେଲାରେ ଜନଗହଳି ପୂର୍ଣ୍ଣ ଜାଗାରେ ଅଣ୍ଡର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଛି l ଆଉ ପୂର୍ବରୁ ମଧ୍ୟ ରେଳ ଲାଇନ୍ ପାର ହେଇଥିବା ବେଳେ ଯାଇଛି ଅନେକ ଜୀବନ l କିନ୍ତୁ ରେଳବାଇ ଓ ପ୍ରଶାସନର ଅବହେଳା ଯୋଗୁ ବଳି ପଡ଼ୁଛି ନିରୀହ ଜୀବନ ।