କନକ ବ୍ୟୁରୋ: ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ବାରା ସ୍ଥାପିତ ହେଉଥିବା ଅତ୍ୟାଧୁନିକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଜୁଲାଇ ତୃତୀୟ ସପ୍ତାହରେ କମିସନିଂ ହେବା ଆଶା କରାଯାଉଛି । ଏହାର ସ୍ଥାପନା କାର୍ଯ୍ୟ ଶେଷ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ଟ୍ରାୟଲ୍ ଅପରେସନ ଅପ୍ରେଲ ମାସରେ ଶେଷ ହୋଇଥିଲା । ଖୁବଶୀଘ୍ର ଏହାର ଦ୍ଵିତୀୟ ପର୍ଯ୍ୟାୟ ଟ୍ରାୟଲ୍ ଅପରେସନ ଆରମ୍ଭ ହେବ ଯାହା ଏହାର ତୃତୀୟ ପର୍ଯ୍ୟାୟ ଟ୍ରାୟଲ୍ ଓ କମିସନିଂ ପାଇଁ ବାଟ ଦେଖାଇଛି ।
ଏହି ଅତ୍ୟାଧୁନିକ ସୁବିଧା ଦୈନିକ ୩୦ ନିୟୁତ ଲିଟର (ଏମଏଲଡି) ସିୱେଜ୍ ଜଳ ପ୍ରବନ୍ଧନର କ୍ଷମତା ବହନ କରୁଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ଙ୍କ ପରାମର୍ଶ ଅନୁଯାୟୀ ଗ୍ରହଣ କରାଯାଇଥିବା ଏହି ପ୍ରମୁଖ ପଦକ୍ଷେପ ଇସ୍ପାତ ସହରାଞ୍ଚଳରେ ପରିବେଶ ସମସ୍ୟାକୁ ସମାଧାନ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୯୫ କୋଟି ଟଙ୍କା ରହିଛି ।
ଉଲ୍ଲେଖଯୋଗ୍ୟ ଯେ, ଆରଏସପି ଉପରୋକ୍ତ ପ୍ରକଳ୍ପ ପାଇଁ ୨୦୨୩ ଜୁନ ମାସରେ ମେଷର୍ଷ ବି ଜି ପଟେଲ ଏବଂ ମେଷର୍ଷ ଓଆସିସ ଇପିସି ସଲ୍ୟୁସନକୁ ନେଇ ଗଠିତ ଏକ କନ୍ସୋର୍ସିୟମ୍ ସହିତ ଏକ ବିସ୍ତୃତ ଚୁକ୍ତିନାମା ସ୍ବାକ୍ଷର କରିଥିଲା । ଏହି ଚୁକ୍ତିନାମାରେ ଉପରୋକ୍ତ ନୂତନ ସୁବିଧାର ସ୍ଥାପନା, କମିସନିଂ ଏବଂ ୫ ବର୍ଷର ଅପରେସନ୍ ଓ ରକ୍ଷଣାବେକ୍ଷଣ ଚୁକ୍ତି ଅନ୍ତର୍ଭୁକ୍ତ ରହିଛି । ଉକ୍ତ ଅତ୍ୟାଧୁନିକ ବ୍ୟବସ୍ଥାରେ ଜଳ ବିଶୋଧନ ପାଇଁ ମୁଭିଂ ବେଡ୍ ବାୟୋଫିଲ୍ମ ରିଆକ୍ଟର ଜ୍ଞାନକୌଶଳ ବ୍ୟବହାର ହେବ । ଏହି ପ୍ରକଳ୍ପ ୨୦୨୫ ମଇ ମାସ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।
ଇସ୍ପାତ ସହରାଞ୍ଚଳରେ ଉତ୍ପନ୍ନ ସମସ୍ତ ସ୍ଵେରେଜ୍ ଜଳକୁ ଏହି ନୂତନ ବ୍ୟବସ୍ଥା ପରିଚାଳନା କରିବ । ସୂଚନାଯୋଗ୍ୟ ଯେ, ଇସ୍ପାତ ସହରାଞ୍ଚଳର ସମସ୍ତ ବାସିନ୍ଦାଙ୍କ ପାଇଁ ଏକ ନିରାପଦ ତଥା ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ପାଇଁ ସିୱେଜ୍ ବିଶୋଧନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ମରାମତି କରିବାକୁ ଆରଏସପି ପଦକ୍ଷେପ ନେଇଛି । ଆରଏସପିର ପ୍ରବନ୍ଧ ବିଭାଗ ଦ୍ବାରା ନିର୍ବାହୀ ନିର୍ଦ୍ଦେଶକ ସୁଦୀପ ପାଲ ଚୌଧୁରୀଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେଉଛି । ମେଷର୍ଷ ମେକନ୍ ଲିମିଟେଡ୍ ପ୍ରକଳ୍ପର ପରାମର୍ଶଦାତା ହୋଇଥିବାବେଳେ ସହର ଇଞ୍ଜିନିୟରିଂ ଏବଂ ସହର ସେବା ଏହାର ଉପଭୋକ୍ତା ବିଭାଗ ଅଟନ୍ତି । ସିଜିଏମ ଟି.କେ ସାହୁ ଓ ପ୍ରକଳ୍ପ ବିଭାଗର ଜିଏମ ସୂର୍ଯ୍ୟ କୁମାର ଦାସ, ଡିଜିଏମ ଭି.କେ ଯାଦବଙ୍କ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନ ଯୋଗାଯୋଗ ଦଳରେ ସହର ଇଞ୍ଜିନିୟରିଂ ଓ ଉଦ୍ୟାନକୃଷି ବିଭାଗର ସିଜିଏମ୍ ବି.କେ ଜୋଜୋ, ସହର ସେବା ଓ ସିଏସଆର ବିଭାଗର ସିଜିଏମ ଟି.ଜି କାନେକର, ସହର ଇଞ୍ଜିନିୟରିଂ ଜଳ ଯୋଗାଣ ବିଭାଗର ଜିଏମ ମଙ୍ଗଲ ଓରାମ, ସିଏସଆର ବିଭାଗର ଜିଏମ ବି. ମଲ୍ଲିକ ତଥା ସହର ସେବା ବିଭାଗର ଜିଏମ ସଞ୍ଜୟ ଦେଓ ସାମିଲ ଅଛନ୍ତି । ଏହି ଉଚ୍ଚାଭିଳାଷୀ ପ୍ରୟାସ ନିରନ୍ତର ବିକାଶ ଏବଂ ପରିବେଶ ପରିଚାଳନା ପାଇଁ ସେଲର ପ୍ରତିବଦ୍ଧତାକୁ ସୂଚିତ କରୁଅଛି । ନବୀକରଣ ହୋଇଥିବା ଜଳ ନିଷ୍କାସନ ଭିତ୍ତିଭୂମି ଜଳ ଉତ୍ସର ଗୁଣବତ୍ତା ବୃଦ୍ଧି, ପ୍ରଦୂଷଣ ହ୍ରାସ ଏବଂ ଇସ୍ପାତ ସହରାଞ୍ଚଳ ବାସିନ୍ଦାଙ୍କ ପାଇଁ ଏକ ସୁସ୍ଥ ଏବଂ ଉନ୍ନତ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।