କନକ ବ୍ୟୁରୋ : ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ମୃତ ଯୁବକଙ୍କ ଶେଷକୃତ୍ୟ କଡ଼ା ସୁରକ୍ଷା ଭିତରେ କରାଯାଇଛି । ତିହିଡ଼ି କଷଟି ଗାଁର ମୃତ ଯୁବକ ସନ୍ତୋଷ ପରିଡ଼ାଙ୍କର ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ମୃତଦେହ ଭଦ୍ରକ ଆସିବାର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ, ପ୍ରଥମେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକର ବିଭିନ୍ନ ଛକ ଓ ସମ୍ବେଦନଶୀଳ ଅଞ୍ଚଳରେ ୨୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।
ମୃତଦେହ ଭଦ୍ରକ ନେହେରୁ ଷ୍ଟାଡିଅମ ନିକଟରେ ପହଞ୍ଚିବା ପରେ ତାଙ୍କ ପରିବାର ଓ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ସହିତ ତାଙ୍କ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ଵହନ ଦାବି କରି ଜାତୀୟ ରାଜପଥରେ ଟାୟାର ଜାଳି ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପରେ ଭଦ୍ରକ ଏସପି, ଜିଲ୍ଲାପାଳ, ଡ଼ିଆଇଜିଙ୍କ ସହ ଭଦ୍ରକ ବିଧାୟକ ଓ ସାଂସଦ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ଘଟଣାର ସମ୍ବେଦନଶୀଳତାକୁ ଦେଖି ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ।