କନକ ବ୍ୟୁରୋ: ସ୍ବପ୍ନ ସତ ହେଲା, ପ୍ରତି ଘରକୁ ପାଣି ଆସିଲା
ଲୋକଙ୍କ ସେବା ଅଧିକାରୀଙ୍କ ପାଇଁ କାଳ ହେଲା
ମନ୍ତ୍ରୀ ରାଗିଲେ, ବିଦ୍ୟା ବଦଳି ହେଲେ
ପ୍ରଥମେ ବଦଳି ହେଲା , ଆଉ ଏକ ଜିଲ୍ଲାର ମଙ୍ଗ ଧରିବା ଆଗରୁ ପୋଷ୍ଟିଙ୍ଗ ରଦ୍ଦ ହୋଇଗଲା । ଆମେ କହୁଛୁ ଉତ୍ତରପ୍ରଦେଶ ମିର୍ଜାପୁରର ତତ୍କାଳୀନ ଜିଲ୍ଲାପାଳ ଦିବ୍ୟା ମିତ୍ତଲଙ୍କ କଥା । ଜନତାଙ୍କ ସେବାକୁ ବ୍ରତ କରିଥିଲେ ଦିବ୍ୟା। ଯାହା କେହି କରିପାରିନଥିଲେ ଦିବ୍ୟା କରି ଦେଖାଇଲେ । ଲୋକଙ୍କ ମୁହଁରେ ହସ ଫୁଟାଇଲେ । କିନ୍ତୁ ଲୋକଙ୍କ ପାଇଁ ତାଙ୍କ ସେବା ଏବଂ ଲୋକପ୍ରିୟତା ନେତା ମନ୍ତ୍ରୀଙ୍କୁ ହଜମ ହେଲାନି । ରାଗରେ ବଦଳି କରିଦେଲେ । ପୁଣି ପୋଷ୍ଟିଙ୍ଗ ବି ରୋକିଦେଲେ ।
ୟୁପି ଲହୁରିଆ ଗାଁକୁ ପିଇବା ପାଣି ମିଳୁନଥିଲା। ସ୍ବାଧୀନତାର ୭୫ ବର୍ଷ ପରେ ବି ପାଣି ଟୋପେ ପାଇଁ ଏ ଗାଁର ୧୫ଶହରୁ ଅଧିକ ଲୋକ ପଇବା ପାଣି ପାଉନଥିଲେ। ଗାଁର ଗୋଟିଏ ବୋଲି କୂଅରୁ ଢାଳେ ପାଣି ପାଇଁ ଭୋରୁ ଲାଇନ୍ ଲଗାଉଥିଲେ। ଆଉ ଝରଣା ପାଣି ପାଇଁ କିଲୋମିଟର ବାଟ ଚାଲି ଚାଲି ଯାଉଥିଲେ। ଯେତେବେଳେ ଦିବ୍ୟା ମିତ୍ତଲ ମିର୍ଜାପୁରର ଜିଲ୍ଲାପାଳ ହୋଇଆସିଲେ ଲହୁରିଆ ଗାଁ ଲୋକଙ୍କ କଷ୍ଟ ଦୂରେଇବା ତାଙ୍କର ପ୍ରଥମ କାମ ଥିଲା । ଯାହା କେହି ଶୁଣୁନଥିଲେ, କରୁନଥିଲେ, ତାହା ୯ ମାସରେ କରି ଦେଖାଇଲେ ଦିବ୍ୟା । ଗାଁକୁ ଆସିଲା ପାଣି । ଲୋକଙ୍କ ମୁହଁରେ ଫୁଟିଲା ଅକୁହା ଖୁସିର ହସ । ଦିବ୍ୟାଙ୍କୁ ଆଶୀର୍ବାଦରେ ଅଜାଡ଼ିଦେଲେ ଗାଁ ଲୋକେ । ହେଲେ ଏସବୁ ବେଶିଦନି ରହିଲାନି । ନେତାମନ୍ତ୍ରୀ ବୋଧେ ଏସବୁ ସହିପାରିଲେନି ।
ତଥାପି କାହାକୁ ଡରୁନଥିଲେ ଦିବ୍ୟା । ଏକ ମିଟିଂରେ ଜିଲ୍ଲାର ବିକାଶମୂଳକ କାମ ଉପରେ ଆଲୋଚନା କରିବାକୁ ଏଲକାଠି ହୋଇଥିଲେ ସମସ୍ତ ଜିଲ୍ଲାପାଳ ଓ ଲୋକମନ୍ତ୍ରୀ । ଏଥିରେ କେନ୍ଦ୍ରର ନେତୃତ୍ବ ନେଉଥିବା ନେତା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଣେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରାଯାଇଥିଲା। ଏ ଘଟଣାକୁ ନେଇ ବାରମ୍ବାର ତାଙ୍କ ଉପରେ ଚାପ ପକାଯାଉଛି ବୋଲି କହିଥିଲେ ଜିଲ୍ଲାପାଳ । ଏହି ସମୟରେ ଦିବ୍ୟା କହିଥିଲେ , କୌଣସି ଅଧିକାରୀଙ୍କୁ ବଦଳି କରିବା କୌଣସି ଲୋକପ୍ରତିନିଧିଙ୍କ ଅଧିକାର ନୁହେଁ । ବାସ୍ ଏତିକି କଥା ଉପସ୍ଥିତି ନେତା ଓ ମନ୍ତ୍ରୀଙ୍କ ଭାରି ବାଧିଥିଲା । ମାତ୍ର ୪୮ ଘଣ୍ଟା ଭିତରେ ଦିବ୍ୟାଙ୍କୁ ପାଖରେ ପହଞ୍ଚିଲା ଟ୍ରାନ୍ସଫର ଅର୍ଡର । ବଦଳିରେ ସରିନଥିଲା ପ୍ରତିଶୋଧ । ଅନ୍ୟ ସ୍ଥାନରେ ସେ ଯୋଗ ଦେବା ଆଗର ତାଙ୍କ ପୋଟେିଙ୍ଗକୁ ବି ରଦ୍ଦ କରିଦେଲେ ।
ଦିବ୍ୟା ଉଚ୍ଚ ଶିକ୍ଷା ସମ୍ପନ୍ନ । IIM, ବେଙ୍ଗାଲୁରୁରେ ଏମବିଏ କରିବା ପରେ ଦିଲ୍ଲୀ ଆଇଆଇଟିରୁ ବିଟେକ୍ କଲେ । ଲଣ୍ଡନରେ କିଛି ଦିନ ଚାକିରି କରିବା ପରେ ଭାରତ ଫେରିଆସିଲେ । ସ୍ବାମୀଙ୍କ ଗାଇଡାନ୍ସରେ ୨୦୧୨ରେ ୟୁପିଏସସି ଦେଇ ପ୍ରଥମ ଚେଷକ୍ଟାରେ ଆଇପିଏସ୍ ହେଲେ । ପରେ ୨୦୧୩ରେ ପୁଣି ୟୁପିଏସସି ଦେଇ ଆଇଏଏସ୍ ହେଲେ । ଜନତାଙ୍କ ସେବା ପାଇଁ ନିଜକୁ ସମର୍ପିଦେଲେ । କିନ୍ତୁ ବଦଳିରେ ମିଳିଲା ବଦଳି ଆଉ ବଦଳି । ଦିବ୍ୟାଙ୍କ ଏ ଘଟଣା ବିତିଗଲାଣି । ହେଲେ ଏବେବି ଏ ଘଟଣା ପ୍ରଶ୍ନ କରୁଛି, ସଚ୍ଚୋଟ ଅଧିକାରୀଙ୍କ ଭାଗ୍ୟ କ’ଣ କେବଳ ବଦଳି ?