କନକ ବ୍ୟୁରୋ : ଧୂମପାନ କରିବା ଆଜିକାଲି ଏକ ଟ୍ରେଣ୍ଡ୍ରେ ପରିଣତ ହୋଇଗଲାଣି । କିଏ ନିଜ ସଉକ ପାଇଁ ସିଗାରେଟ୍ ଟାଣିଥାଏ ତ ଆଉ କାହାର ଏହା ଏକ ଖରାପ ଆଭ୍ୟାସ ପାଲଟି ଗଲାଣି । ସେ ଚା’ ଦୋକାନ ହେଉ କି ଛକ, ସବୁ ଜାଗାରେ ଗୋଟିଏ ହାତରେ ସିଗାରେଟ୍ ଆଉ ଗୋଟିଏ ହାତରେ ଚା’ କପ୍ ଧରିଥିବାର ଦେଖିବାକୁ ମିଳନ୍ତି ଆଜିର ଯୁବପିଢି । ହେଲେ ଏହି ସିଗାରେଟ୍ ଯେ ଶରୀରପ୍ରତି କେତେ ମାରାତ୍ମକ ତାହା କେବେ କେହି ଭାବିନ୍ତି ନାହିଁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଗୋଟିଏ ସିଗାରେଟ୍ରେ କମେ ୨୦ ମିନିଟ୍ ଆୟୁଷ । ପ୍ରତିବର୍ଷ ଧୂମପାନ ଯୋଗୁଁ ରୋଗଗ୍ରସ୍ତ ହୋଇ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥାଆନ୍ତି ।
ସିଗାରେଟରେ ତମାଖୁ ଥାଏ, ଯାହା କି ଅନେକ ମାରାତ୍ମକ ରୋଗର କାରଣ ହୋଇଥାଏ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦଜ୍ଜନକ ବୋଲି ବିବେଚନା କରାଯାଏ । ଏଥିରେ ଥିବା ନିକୋଟିନ୍ ଜଣେ ବ୍ୟକ୍ତିଙ୍କୁ ସହଜରେ ନିଶାଗ୍ରସ୍ତ କରିପାରେ । ସେଥିପାଇଁ ତ ଯିଏ ଥରେ ଧୂମପାନ କରେ ସେ ବାରମ୍ବାର ଟାଣିବାକୁ ଇଚ୍ଛା କରେ । ସିଗାରେଟ୍ ଟାଣିବା ସମୟରେ ଯେଉଁ ଧୂଆଁ ଶରୀର ଭିତରକୁ ଯାଏ ତାହା ସବୁଠୁ ଅଧିକ ଫୁସ୍ଫୁସ୍ ଉପରେ ହିଁ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କ୍ୟାନ୍ସର, ହାର୍ଟ ଆଟାକ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ର ମଧ୍ୟ ଆଶଙ୍କା ବଢିଯାଏ । ଏହା ମଧୁମେହ ରୋଗର ମଧ୍ୟ ଆଉ ଏକ ବଡ଼ କାରଣ, ଆଉ ଯଦି କେହି ପୂର୍ବରୁ ଡାଇବେଟିସ୍ର ଶିକାର ହୋଇଛନ୍ତି ତେବେ ସେମାନେ ଆଦୌ ସିଗାରେଟ୍ ଟାଣିବା କଥା ନୁହେଁ ।
କମ୍ ବୟସର ଯୁବକ ବା ଯୁବତୀ ଧୂମପାନ କଲେ ବୟସାଧିକ ଭଳି ଦେଖାଯାଆନ୍ତି । ମହିଳାମାନଙ୍କ କ୍ଷେତ୍ରରେ ହରମୋନ୍ ଅସନ୍ତୁଳନ ସୃଷ୍ଟି ହେବା ସହ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ପାଏ । ଅତ୍ୟାଧିକ ସିଗାରେଟ୍ ଟାଣିବାଦ୍ୱାରା ବିଶେଷକରି ପ୍ରଭାବିତ ହୁଏ ଫୁସ୍ଫୁସ୍, ଧୀରେଧୀରେ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୁଏ । ଖାଲି ସେତିକି ନୁହେଁ, ଧୁମ୍ରପାନ ସମୟରେ ପରିବାରରେ ଥିବା ଛୋଟ ଶିଶୁଙ୍କ ଉପରେ ମଧ୍ୟ ଏହି ଧୂଆଁର ପ୍ରଭାବ ପଡେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ଅନେକ ଶିଶୁ ଅଛନ୍ତି ଯେଉଁମାନେ ପିତାମାତାଙ୍କ ଏହି ଖରାପ ଅଭ୍ୟାସ ଦ୍ବାରା କ୍ଷତିଗ୍ରସ୍ତ । ଯେଉଁମାନେ ଦିନକୁ ୧୦-୧୨ ସିଗାରେଟ୍ ଟାଣୁଛନ୍ତି ସେମାନଙ୍କ କ୍ଷେତ୍ରରେ କିଡନି ସମସ୍ୟା ମଧ୍ୟ ନିହାତି ଦେଖାଦିଏ । ଏହା ଏକ ସାଇଲେଣ୍ଟ କିଲର କହିଲେ ଅତ୍ୟୁକ୍ତି ହେବ ନାହିଁ ।
ତେବେ କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜ ଶରୀରକୁ ଜାଣି ଜାଣି ସ୍ଲୋ ପଏଜନ ଦେବା ଅପେକ୍ଷା ଏହି ଖରାପ ଅଭ୍ୟାସକୁ ତ୍ୟାଗ କରିବା ନିହାତି ଭଲ । ଖାଲି ସିଗାରେଟ୍ ନୁହେଁ ପ୍ରତ୍ୟେକ ନିଶା ସେବନରୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ।