କନକ ବ୍ୟୁରୋ: ଗୋଟିଏ ସହରର ପରିଚୟ ହେଉଛି ସୌନ୍ଦର୍ଯ୍ୟ ଏବଂ ଉନ୍ନୟନ କାମ । ଏଥିରେ ଟିକେ ତଳକୁ ଖସିଲେ କଥା ସରିଲା । ଆଉ ଯଦି ରେଶମ ସହର ବ୍ରହ୍ମପୁର କଥା ଆସେ, ସେତେବେଳେ ସହରର ସୌନ୍ଦର୍ଯ୍ୟୀକରଣ ଅତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ନଜରକୁ ଆସେ । ଯାହାକୁ ସଜାଡ଼ିବା ଆରମ୍ଭ କରିଛନ୍ତି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ।
ଦକ୍ଷିଣ ଓଡ଼ିଶାର ମୁଖଶାଳା ବ୍ରହ୍ମପୁର । ଶହ ଶହ ବର୍ଷର କଳା, ସଂସ୍କୃତିର ସହର କିନ୍ତୁ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । କାନ୍ଥ ବାଡ଼ରେ ବିଜ୍ଞାପନ ପୋଷ୍ଟର ସହ ରାସ୍ତା କଡ଼ରେ ଅଳିଆ ଆବର୍ଜନା । ସତେ ଯେମିତି ବର୍ଷ ବର୍ଷରୁ ହୋଇନି ସୌନ୍ଦର୍ଯ୍ୟୀକରଣ କାମ । ତେବେ ଏବେ ବଦଳିବାକୁ ଯାଉଛି ସହରର ନକ୍ସା । ଉନ୍ନୟନ କାମ ହାତକୁ ନେଇଛନ୍ତି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ସହର ସାରା କାନ୍ଥରେ ଆସ୍ଥେଟିକ୍ ୱାଲ୍ ପେଣ୍ଟିଂ ସହ ସ୍ଥାନ ଅନୁସାରେ ସୌନ୍ଦର୍ଯ୍ୟ ପ୍ରତି ଦିଆଯାଉଛି ଗୁରୁତ୍ୱ । ଯାହା ଖାଲି ସହରର ଶୋଭା ବଢ଼ାଇବନି ବରଂ ବଦଳାଇଦେବ ସହରର ଚେହେରା ।
ରାମଲିଙ୍ଗମ୍ ପାର୍କ ହେଉ ବା ଖଲ୍ଲିକୋଟ କଲେଜ କାନ୍ଥ । ସାଇତା ସ୍ମୃତି ଆଉ ଉଜୁଡ଼ି ଯାଉଥିବା ମୂର୍ତ୍ତି ସବୁ ସ୍ଥାନ ପାଇବ ଏଠାରେ । ଫୁଲ ଗଛ ଲାଗିବା ଠାରୁ ଆରମ୍ଭ କରି ସବୁ ୱାର୍ଡରୁ ଅଳିଆ ଉଠା ପର୍ଯ୍ୟନ୍ତ ସବୁ କାମକୁ ଗୁରୁତ୍ୱର ସହ କରିବାକୁ ବିଡିଏ ଲକ୍ଷ୍ୟ ରଖିଛି । ସହରରେ ମନଇଚ୍ଛା ଲାଗିଥିବା ହୋର୍ଡିଂ ଏବଂ କାନ୍ଥରେ ମରାଯାଇଥିବା ପୋଷ୍ଟର ହଟାଯାଉଛି । ଲୋକଙ୍କୁ ସଚେତନ ବି କରାଯାଉଛି । ରାସ୍ତାକଡ଼ରେ ଥିବା ଉଠାଦୋକାନ ବି ଖାଲି କରାଯାଇ ପୂରା ସହରର ଚିତ୍ର ବଦଳାଇବାକୁ ଆରମ୍ଭ ହୋଇଛି ପ୍ରୟାସ ।