କନକ ବ୍ୟୁରୋ: ସମ୍ବଲପୁରର ପ୍ରତିଷ୍ଠିତ ଶିକ୍ଷଣ ସଂସ୍ଥାନ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ  ଆଜି ବିଜ୍ଞାନ, କଳା ଏବଂ ହସ୍ତ ଶିଳ୍ପ  ପ୍ରଦର୍ଶନୀର ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଏବଂ ନବସୃଜନ କ୍ଷମତାକୁ ଏକ ଶକ୍ତିଶାଳୀ ମଞ୍ଚ ପ୍ରଦାନ କରିଥିଲା । ପ୍ରଦର୍ଶନୀର ଆନୁଷ୍ଠାନିକ ଶୁଭାରମ୍ଭ ମୁଖ୍ୟ ଅତିଥି ଡ. ଦେବସ୍ମିତା ମିଶ୍ର, ସହକାରୀ ପ୍ରଧ୍ୟାପକ, ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ, ବୁର୍ଲାଙ୍କ କରକମଳରେ ଦୀପ ପ୍ରଜ୍ୱଳନ ସହିତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଅତିଥି ଏବଂ ନିର୍ଣ୍ଣାୟକ ଭାବରେ ବିଜୟା ବାଗ, ପିଜିଟି (ଉଦ୍ଭିଦ ବିଜ୍ଞାନ), ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତଥା ଦେବଦତ୍ତା ସା, ଅଧ୍ୟାପକ (ରସାୟନ ବିଜ୍ଞାନ), ଭିଏସ୍ଏସ୍ ବିଶ୍ୱବିଦ୍ୟାଳୟଙ୍କ ଗରିମାମୟ ଉପସ୍ଥିତି ରହିଥିଲା ।

Advertisment

ଉଦଘାଟନ ପରେ ଅତିଥିମାନେ ସମ୍ପୂର୍ଣ୍ଣ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଉପସ୍ଥାପିତ ନମୁନାଗୁଡ଼ିକର ବିଷୟବସ୍ତୁ, ଉପସ୍ଥାପନା ଶୈଳୀ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେମାନେ ବିଦ୍ୟାର୍ଥୀମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ଜିଜ୍ଞାସା, ନବସୃଜନ ଏବଂ ଆତ୍ମବିଶ୍ୱାସକୁ ପ୍ରଶଂସା କରିଥିଲେ ତଥା ସେମାନଙ୍କୁ ନିରନ୍ତର ଶିଖିବା, ପରୀକ୍ଷଣ କରିବା ଏବଂ ଅନୁସନ୍ଧାନ ଦିଗରେ ଆଗକୁ ବଢ଼ିବାକୁ ପ୍ରେରିତ କରିଥିଲେ ।

ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଅନେକ ଜ୍ଞାନବର୍ଦ୍ଧକ ଓ ଜଟିଳ ବୈଜ୍ଞାନିକ ନମୁନାକୁ ଅତି ସରଳ ଭାବେ ଉପସ୍ଥାପନ କରିଥିଲେ । ସେଥିମଧ୍ୟରୁ ପ୍ରମୁଖ ଆକର୍ଷଣଗୁଡ଼ିକ ଥିଲା:
ଅନ୍ତରୀକ୍ଷ ବିଜ୍ଞାନ:ଚନ୍ଦ୍ରଯାନ-୩ ଚନ୍ଦ୍ର ମିଶନର ଜୀବନ୍ତ ନମୁନା ।

ପରିବେଶ ଓ କୃଷି:ଉନ୍ନତ କୃଷି କୌଶଳ, ଅଶୁଦ୍ଧ ଜଳ ଉପଚାର ଏବଂ ଆବର୍ଜନା ପରିଚାଳନା ।
ଜୀବ ବିଜ୍ଞାନ: ମାନବ ରକ୍ତ ସଞ୍ଚାଳନ ତନ୍ତ୍ର, ଉଦ୍ଭିଦ କୋଷିକା ସଂରଚନା ଏବଂ ଆଲୋକ-ସଂଶ୍ଳେଷଣ ପ୍ରକ୍ରିୟା ।

ଅତିଥିମାନେ ପ୍ରତ୍ୟେକ ପ୍ରକଳ୍ପ ପରିଦର୍ଶନ କରିବା ସହ ବିଦ୍ୟାର୍ଥୀମାନଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ଆତ୍ମବିଶ୍ୱାସର ଭୂୟସୀ ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ, ପିଲାମାନଙ୍କ ମଧ୍ୟରେ ଏହିପରି ଜିଜ୍ଞାସା ସେମାନଙ୍କୁ ଭବିଷ୍ୟତର ଜଣେ ଜଣେ ସଫଳ ଗବେଷକ ଓ ଅନୁସନ୍ଧାନକାରୀ ଭାବେ ଗଢ଼ିତୋଳିବ ।

ଏହି ଆୟୋଜନକୁ ସଫଳ କରିବାରେ ଏକାଡେମିକ୍ କୋଅର୍ଡିନେଟର ରଶ୍ମିରେଖା ପଣ୍ଡା, ବିଜ୍ଞାନ ବିଭାଗାଧ୍ୟକ୍ଷ ବିକ୍ରମାଦିତ୍ୟ ଷଡ଼ଙ୍ଗୀଙ୍କ ସମେତ ଶିକ୍ଷକ ପ୍ରୀତି ମିଶ୍ର, ଅତୁଲ ମିଶ୍ର, କଳ୍ପେଶ ନାୟକ, ହୀରାଲାଲ ପ୍ରସାଦ, ବିମଳ ଦାସ, ମନୀଷା ମଞ୍ଜରୀ ପତି ଏବଂ ଜ୍ୟୋତିର୍ମୟୀ ପ୍ରଧାନଙ୍କ ନିରନ୍ତର ପରିଶ୍ରମ ଓ ମାର୍ଗଦର୍ଶନ ରହିଥିଲା ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିନ ସୁଧୀର ପାଠକ ନିଜ ଅଭିଭାଷଣରେ କହିଥିଲେ, "କେବଳ ପୁସ୍ତକ ମଧ୍ୟରେ ସୀମିତ ନରହି ବ୍ୟବହାରିକ ଜ୍ଞାନ ହାସଲ କରିବା ଆଜିର ସମୟର ଆବଶ୍ୟକତା । ଏହି ପ୍ରଦର୍ଶନୀ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଦଳୀୟ କାର୍ଯ୍ୟ ଏବଂ ସମସ୍ୟା ସମାଧାନ କରିବାର ଦକ୍ଷତା ବୃଦ୍ଧି ପାଇଛି ।" ସେ ଏଥିପାଇଁ ସମସ୍ତ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।