କନକ ବ୍ୟୁରୋ: ସତ୍ତା ହରାଉଛି ମାଲକାନଗିରିର ସତିଗୁଡ଼ା ଜଳଭଣ୍ଡାର। ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେଉଛି ଜଳଭଣ୍ଡାର । କମିଯାଉଛି ଜଳଧାରଣ କ୍ଷମତା। ଉଭୟ ରବି ଓ ଖରିଫ ଋତୁରେ ଆଶା ଅନୁରୂପ ଜଳସେଚନ ହୋଇପାରୁନି କି ଖରାଦିନେ ସହରକୁ ସଠିକ୍‌ ପରିମାଣର ପାଣି ଯୋଗାଣ ହୋଇପାରୁନି । ତେଣୁ ଜଳବାୟୁ ଉପରେ ଏହାର ପ୍ରଭାବ ପଡୁଥିବା ବେଳେ ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗ କିନ୍ତୁ ଏହାର ପୁନରୁଦ୍ଧାର ଦିଗରେ ଆଦୌ ଚିନ୍ତା କରୁନାହାନ୍ତି । 

Advertisment

ମାଲକାନଗିରି ସହର ଉପକଣ୍ଠରେ ଥିବା ସତିଗୁଡ଼ା ଜଳଭଣ୍ଡାର । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟି ପଡ଼ୋଶୀ ଜିଲ୍ଲା ସହ ପଡ଼ୋଶୀ ରାଜ୍ୟର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ମାଲକାନଗିରି ସହର ସହ ଆଖପାଖ ଗାଁର ଲାଇଫ ଲାଇନ୍ । ପୌରାଞ୍ଚଳରେ ପାନୀୟ ଜଳ ଯୋଗାଇବା ସହ ଚାଷୀଜମିକୁ ଜଳସେଚିତ କରିଥାଏ । ୨୦ଟି ଗାଁର ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ସତିଗୁଡ଼ା ଜଳଭଣ୍ଡାର ଉପରେ ନିର୍ଭରଶୀଳ ।

ଧୀରେଧୀରେ ପୋତି ହୋଇ ପୋଖରୀର ରୂପ ନେବାକୁ ବସିଛି ଜଳଭଣ୍ଡାର । ରକ୍ଷଣାବେକ୍ଷଣ ଅଭାବରୁ ଜଳଧାରଣ କ୍ଷମତା କମି କମି ଯାଉଛି । ଫଳରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି ମତ୍ସ୍ୟଜୀବୀ ପରିବାର । ବର୍ଷା ୪ ମାସକୁ ବାଦ୍‌ ଦେଇ ଅନ୍ୟ ମାସରେ ସତିଗୁଡ଼ାରୁ ମାଛ ମାରି ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡ଼ିଛି । ଚମ୍ପାଖାରି ଗାଁର ଭୀମା ମାଢ଼ୀ । ମାଛ ଧରିଲେ ପରିବାର ଚଳେ । ୩ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠେ । ଏବେ ଦିନ ତମାମ୍‌ ଜାଲ ପକାଇଲେ ୩ରୁ ୪କେଜି ମାଛ ପଡ଼ୁଛନ୍ତି, ସେଥିରେ ପେଟ ପୂରୁନି ।

ପ୍ରାୟ ୮ରୁ ୯ମାସ ଜଳଭଣ୍ଡାରରେ ଜଳସ୍ତର କମ୍‌ ରହୁଛି । ତେଣୁ ପର୍ଯ୍ୟଟକ ପରିବେଶୀୟ ଉଦ୍ୟାନ ଛାଡ଼ି ଜଳଭଣ୍ଡାର ପଠାରେ ବୁଲାବୁଲି କରୁଛନ୍ତି । ଅପରାହ୍ନରେ ସେଲ୍‌ଫି ନେବାକୁ ଯୁବପିଢ଼ିଙ୍କ ଭିଡ଼ ଜମୁଛି । ସେଇ ଭିଡ଼ ଭିତରେ ରହିଯାଏ ଜଳଭଣ୍ଡାର ଜଳକୁ ପ୍ରଦୂଷିତ କରିବା ଭଳି ପ୍ଲାଷ୍ଟିକ୍‌ ବୋତଲ୍ ଆଉ ପଲିଥିନ୍‌ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷିତ ଯୁବକ-ଯୁବତୀ ।

ବର୍ଷାଜଳ ସଂରକ୍ଷଣ କରିବା ଲାଗି ୧୯୭୦ମସିହାରେ ବହୁ ମୁଖୀ ପ୍ରକଳ୍ପ ନିର୍ମାଣ ହୋଇଥିଲା । ପ୍ରାୟ ୭ଶହ ମିଟର ବନ୍ଧ ବାନ୍ଧି ପାଣି ଅଟକାଇବା ଯୋଜନା ହୋଇଥିଲା । ନିର୍ମାଣ ବେଳେ ଜଳଧାରଣ ଅଞ୍ଚଳ ୧୨.୫ ବର୍ଗ କିଲୋମିଟର ଏବଂ ଜଳଧାରଣ କ୍ଷମତା ଥିଲା ୭୧୦ ହେକ୍ଟର । ବାମ ଏବଂ ଦକ୍ଷିଣ କେନାଲ ମାଧ୍ୟମରେ ଉଭୟ ଖରିଫ ଓ ରବି ଚାଷ ପାଇଁ ୧୩ ହଜାର ୬୦୦ ହେକ୍ଟର ଜମି ଜଳସେଚନ ଲକ୍ଷ୍ୟ ରହିଛି । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ଦଳ ସଫା ନହେବାରୁ ଆୟତନ କମିବାରେ ଲାଗିଛି । ବର୍ଷା ପାଣି ସହ ମାଟି ଜଳଭଣ୍ଡାରରେ ପ୍ରବେଶ କରୁଛି । ଜଳଭଣ୍ଡାର ଆକାରରେ ପରିବର୍ତ୍ତନ ଘଟିଛି । ଜୀବନ ଜୀବିକା ସବୁ ପ୍ରଭାବିତ ହେଉଛି । ସହରରେ ପାନୀୟ ଜଳସଙ୍କଟ, ରବି ଚାଷ ପାଇଁ ଜଳସେଚନ ସମସ୍ୟା ହେଉଥିଲେ ବି ପ୍ରାଶାସନିକ ତତ୍ପରତା ନାହିଁ । ଜଳ ସମ୍ପଦ ବିଭାଗ କି ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ କି ରାଜସ୍ୱ ବିଭାଗ, କାହାରି ନିଘା ନାହିଁ ।

ସତିଗୁଡ଼ା ୭୧୦ ହେକ୍ଟର ଜଳରୁ ମାଛ ମାରିବା ପାଇଁ ବାର୍ଷିକ ୭୧ ହଜାର ଟଙ୍କା ପୈଠ କରୁଛି ମତ୍ସ୍ୟଜୀବୀ । କିନ୍ତୁ ୨ଶହରୁ ୩ଶହ ହେକ୍ଟର ଜଳରେ ମାଛ ଧରିବା କଷ୍ଟକର ହୋଇପଡୁଛି । ତେଣୁ ଜଳଭଣ୍ଡାର ପୁନରୁଦ୍ଧାର ଲାଗି ସରକାରଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଛି ସତିଗୁଡ଼ା ମତ୍ସ୍ୟଜୀବୀ ସଂଘ ।