କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ସରିଲା ହେରାପଞ୍ଚମୀ ନୀତି । ଆଜି ହେବ ବାହୁଡ଼ା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ଼ କରାଯିବ । ଗତକାଲି ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାଲକ୍ଷ୍ମୀ । ମହାପ୍ରଭୁଙ୍କ ଦର୍ଶନ ନପାଇ ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଲେ ରଥ । ରାଗ ଜର୍ଜରିତ ହୋଇ ଫେରି ଆସିଲେ ଶ୍ରୀମନ୍ଦିର । ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ସେଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ହେରାପଞ୍ଚମୀ ଦିନ ଅର୍ଥାତ ଗତ ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ମହାଲକ୍ଷ୍ମୀ । କିନ୍ତୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିଥିଲେ ମହାଲକ୍ଷ୍ମୀ । ରାଗ ଜର୍ଜରିତ ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିଥିଲେ । ଏହାପରେ ଅଭିମାନିନୀ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିଥିଲେ  । ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳରେ ପ୍ରବଳ ଭକ୍ତ ରୁଣ୍ଡ ହୋଇଥିଲେ । 

Advertisment

ନାକଚଣା ଦ୍ବାର ଆଗରେ ଶରଧାବାଲିରେ ରଥ ତ୍ରୟ ବିଜେ କରିବେ । ଏଥିପାଇଁ ଶରଧାବାଲିକୁ ପରିଷ୍କାର ପରିଚ୍ଛନ୍ନ କରାଯାଇ ବାଲି ବିଛାଯାଇଛି । ସେବାୟତ ଏବଂ ପୁଲିସଙ୍କ ସହଯୋଗରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବ । ଏହାପୂର୍ବରୁ ଗତକାଲି ରଥଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଇଛି । କାଲି ପୂର୍ବାହ୍ନରେ ମୁଖ୍ୟ ବିଶ୍ବକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟିଙ୍କ ତତ୍ତ୍ବାବଧାନରେ ରଥର ସ୍ଥିତି ଅନୁଧ୍ୟାନ କରାଯାଇଛି । ଏପଟେ ମାଉସୀ ମା’ଙ୍କ ମନ୍ଦିରରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇଛି । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇବେ । ଏହି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି ।

ରଥଯାତ୍ରା ଦିନଠୁ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଉତ୍ତର ମୁହାଁ ହୋଇ ରହିଥିଲେ । ଆଜି ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ କରି ରଖାଯିବ । ପରମ୍ପରା ଅନୁସାରେ, ପ୍ରଥମ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ । ଏହାପଛକୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ । ପୂର୍ବାହ୍ନ ୧୨ଟା ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଏହି ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହେବ । ଶରଧାବାଲିରେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତ ହୋଇରହିବେ ତିନି ରଥ ।