କନକ ବ୍ୟୁରୋ: ଗତ ଶନିବାର ଦିନ ASBM School of Accountancy ଅଧୀନରେ ଏକ ଦିବସୀୟ ଡକ୍ଟରାଲ ରିସର୍ଚ୍ଚ ସେମିନାର ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ଵଜିତ ପଟ୍ଟନାୟକ ଉଦଘାଟନ କରିଥିଲେ । ପ୍ରଫେସର ପଟ୍ଟନାୟକ ଏହି କ୍ରମରେ ଏକ ସୁଦୀର୍ଘ ଆଲୋଚନା ମାଧ୍ୟମରେ ପ୍ରାଚ୍ୟ ଓ ପାଶ୍ଚାତ ଗବେଷଣାର ପ୍ରସ୍ତୁତି, ତଦଜନିତ ଅନୁଶୀଳନ ଓ କାର୍ଯ୍ୟକାରୀତା ସମ୍ପର୍କରେ ଗବେଷଣାତ୍ମକ ଆଲୋକପାତ କରିଥିଲେ । ଶେଷରେ ଗବେଷକମାଙ୍କୁ ନିରନ୍ତର ଗବେଷଣାରତ ରହି ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ପରେ ପରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରଞ୍ଜନ କୁମାର ବଳ ରିସର୍ଚ୍ଚ ରିପୋର୍ଟିଂ ସମ୍ପର୍କରେ ଆଲୋଚନା କରିଥିଲେ ।
ରାଜ୍ୟ ଓ ପଡ଼ୋଶୀ ରାଜ୍ୟ ମାନଙ୍କର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନରୁ ବହୁ ଗବେଷକ ଏହି ସେମିନାରରେ ଅଂଶଗ୍ରହଣ କରି ସେମାନଙ୍କର ଗବେଷଣା ମାନ ଉପସ୍ଥାପନ କରିଥିଲେ । ସେମିନାରର ଶେଷରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନ୍ୟାସନାଲ୍ ଲ’ ୟୁନିଭରସିଟିର ଗବେଷିକା ଅରୋସିଖା ମହାନ୍ତିଙ୍କୁ ତାଙ୍କର ଗବେଷଣା ଜନିତ ପେପର ଲାଗି ବିଶ୍ବବିଦ୍ୟାଳୟର କୁଳାଧ୍ୟକ୍ଷ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସ୍କୁଲ୍ ଅଫ୍ ଆକାଉଣ୍ଟାସିର ଡିନ୍ ପ୍ରଫେସର ପଦ୍ମନାଭ ମହାପାତ୍ର ସଂଯୋଜନା କରିଥିଲେ ଏବଂ ପ୍ରଫେସର ପ୍ରାର୍ଥନା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ବିଶ୍ବବିଦ୍ୟାଳୟର ଉପ-କୁଳାଧ୍ୟକ୍ଷ ପ୍ରଫେସର କଲ୍ୟାଣ ଶଙ୍କର ରାୟ, ଉପ କୁଳପତି ପ୍ରଫେସର ଫଲଗୁ ନିରଞ୍ଜନା, ପ୍ରମୁଖ ନିର୍ଦ୍ଦେଶିକା ପ୍ରଫେସର ସ୍ମାରକୀ ପଟ୍ଟନାୟକଙ୍କ ସମେତ, କୁଳ ସଚିବ, ସମସ୍ତ ଡିନ୍, ପରୀକ୍ଷା ନିୟନ୍ତ୍ରକ ଓ ହେଡ୍, ପ୍ରଫେସର ମଣ୍ଡଳୀ ଓ ସମସ୍ତ ଗବେଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।