କନକ ବ୍ୟୁରୋ: ମୃତ ରାସନ କାର୍ଡଧାରୀଙ୍କ ନାଁରେ ରାସନ ସାମଗ୍ରୀ ଉଠାଇଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ । ମୃତ୍ୟୁ ତାରିଖଠାରୁ ଗ୍ରହଣ ହୋଇଥିବା ସାମଗ୍ରୀର ମୂଲ୍ୟ ସଂପୃକ୍ତ ପରିବାରଠାରୁ ଦେଢ଼ ଗୁଣ ହାରରେ ଆଦାୟ ହେବ । ଓଡ଼ିଶାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସଂଶୋଧିତ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ୮ଟି ବିଭାଗର ୧୧ଟି ପ୍ରସ୍ତାବ ମଧ୍ୟରେ ଏହି ପ୍ରସ୍ତାବ ମଧ୍ୟ ପାରିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମର ସଂଶୋଧନ କରିବାର ଉଦ୍ଦେଶ୍ୟ ଠକେଇକୁ ରୋକିବା ସହ ଆରସିଏମ୍ଏସ୍ ତଥ୍ୟକୁ ସୁନିଶ୍ଚିତ କରିବା ଓ ସରକାରୀ ସଂପଦକୁ ସୁରକ୍ଷା କରିବା ବୋଲି ସେ କହିଛନ୍ତି ।
ଆଜି କେମିତି କଟିବ ଦିନ? ଜାଣନ୍ତୁ...
ଅନ୍ତ୍ୟୋଦୟ ଅନ୍ନ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କ୍ୟାବିନେଟ୍ରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଜଳ ଜୀବନ ମିସନ ଯୋଜନାରେ ଏଣିକି କେନ୍ଦ୍ରୀୟ ଅନୁଦାନ ରାଶିକୁ ଅଗ୍ରୀମ ଭାବେ ରାଜ୍ୟ ସରକାର ଦେବେ । କେନ୍ଦ୍ରୀୟ ଅନୁଦାନ ଆସିଲା ପରେ ତାହାକୁ ଭରଣା କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍ ମଞ୍ଜୁରୀ ପାଇଛି । ସମନ୍ବିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ପାଇଁ ୩୧୦ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ‘ପାର୍ବତୀ ଗିରି ବୃହତ ଉଠା ଜଳସେଚନ’ ଯୋଜନାରେ କ୍ଲଷ୍ଟର-୩୧ ମାଧ୍ୟମରେ ୬ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ଋଷିକୁଲ୍ୟା ନଦୀ, ରାମନଦୀ, ଜୀରା ନାଳ ଓ ଋଷିକୂଲ୍ୟା ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥାରେ ଗଞ୍ଜାମ ଜିଲ୍ଲାର ୬୩୪୩ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୯୦ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/10/ration-card-2026-01-10-07-44-37.jpg)