ଶ୍ରୀମନ୍ଦିର ସୁରକ୍ଷାରେ ଢିଲା : ମେଘନାଦ ପାଚେରୀ ଡେଇଁଲେ ୪ ଯୁବକ

ପତିତପାବନ ଯାତ୍ରାର ଶେଷ ଦିନରେ ମେଘନାଦ ପାଚେରୀ ଡେଇଁ ଅନଧିକାର ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ୪ ଯୁବକ । ଦକ୍ଷିଣ ଦ୍ଵାର ନିକଟରେ ଜମା ହୋଇ ରହିଥିବା ଅଳିଆ ଉପରେ ଚଢ଼ି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।

srimandir

srimandir Photograph: (KanakNews)

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଛି ଶ୍ରୀମନ୍ଦିର ସୁରକ୍ଷାରେ ଢିଲା ବ୍ୟବସ୍ଥା । ପତିତପାବନ ଯାତ୍ରାର ଶେଷ ଦିନରେ ମେଘନାଦ ପାଚେରୀ ଡେଇଁ ଅନଧିକାର ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି ୪ ଯୁବକ । ଦକ୍ଷିଣ ଦ୍ଵାର ନିକଟରେ ଜମା ହୋଇ ରହିଥିବା ଅଳିଆ ଉପରେ ଚଢ଼ି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ନିୟମ କାନୁନକୁ କେହି ମାନୁନାହାନ୍ତି । ଚାରିଦ୍ବାର ଥାଉ ଥାଉ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରେ ପଶିଛନ୍ତି ଯୁବକ । ଶ୍ରୀମନ୍ଦିର ମେଘନାଦ ପାଚେରୀ ଡେଇଁ ୪ ଯୁବକ ଶ୍ରୀମନ୍ଦିର ପ୍ରବେଶ କରିବା ବେଳର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଖବର ପ୍ରସାରଣ ପରେ ସଫେଇ ସଂସ୍ଥାର କର୍ମଚାରୀ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ତୁରନ୍ତ ଅଳିଆ ଖାଲି କରିଥିବା ବେଳେ ମେଘନାଦ ପାଚେରୀ ପାଖରେ ରୋଷ ଘର ଅଳିଆ ପକାଇବାକୁ ଉଦ୍ଦିଷ୍ଟ ଥିବା ଗେଟଟି ତାଲା ପକାଯାଇଥିଲା । ତେବେ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । 

ସିସିଟିଭିର ଚାଲିଛି ଯାଞ୍ଚ । ସୁରକ୍ଷା ସତ୍ତ୍ବେ କେମିତି ପଶିଲେ ଯୁବକ? ଘଟଣାକୁ ନେଇ ଖବର ପ୍ରସାରଣ ପରେ ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ଶ୍ରୀମନ୍ଦିର ଅନାଧିକାର ପ୍ରବେଶ ପ୍ରସଙ୍ଗରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଚଞ୍ଚଲ ରାଣା କହିଛନ୍ତି ‘ସିସିଟିଭି କ୍ୟାମେରା ଯାଞ୍ଚ କରି ନିଆଯିବ ଆକ୍ସନ୍। ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦିଆଯିବ ଏତଲା ।’ ତେବେ ଅଳିଆ ସଫା ଗାଡ଼ିକୁ ପ୍ରବେଶ କରିବା ପାଇଁ ପୁଲିସ ବାରଣ କରିବା କଥା ସଫେଇ ଦାୟିତ୍ୱରେ ଥିବା କର୍ମଚାରୀ କହୁଥିବା ବେଳେ ଏସପି କହିଛନ୍ତି ସମନ୍ଵୟ ଅଭାବରୁ ହୋଇଛି । ରଥଯାତ୍ରା ପାଇଁ ମାଳ ମାଳ ସୁରକ୍ଷା କର୍ମୀ ପୁରୀରେ ଜଗିଥିବାବେଳେ ମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଶ୍ନ ଉଠୁଛି, ଅଳିଆ ଆବର୍ଜନା କେତେ ଦିନ ହେବ ଜମା ହୋଇ ରହିଥିଲା? କ’ଣ ପାଇଁ ଆବର୍ଜନା ସ୍ଥାନାନ୍ତର ହୋଇ ନଥିଲା? କେଉଁଠି ରହିଲା ସମନ୍ୱୟର ଅଭାବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe