କନକବ୍ୟୁରୋ : ନିର୍ଜନ ରାତି । ଚାରିଆଡ଼େ ଅନ୍ଧାରର ରାଜୁତି।  ଆକାଶରେ ବିଜୁଳି ଚମକୁଛି । ଗର୍ଜୁଛି ଘଡ଼ଘଡ଼ି । ଝିପିଝିପି ବର୍ଷା ଲାଗି ରହିଛି  । ଏହାରି ଭିତରେ ବାରିପଦା ସହର ରାସ୍ତାକଡ଼ରେ ଦେଖିବାକୁ ମିଳିଥିଲା ଏକ ହୃଦୟଥରା ଦୃଶ୍ୟ  ।  ପିଲା ପାଇଁ ମାଆ କଣ କରିପାରେ ତା’ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା  । ମାନସିକ ବିକାରଗ୍ରସ୍ତ ପୁଅ ରାସ୍ତା କଡରେ ଶୋଇ ରହିଛି  ,  ବୁଢ଼ୀ ମାଆର କୁଡ଼ିଆ ଛାଡ଼ି ଚାଲି ଆସିଛି ମାନସିକ ବିକାରଗସ୍ତ ପୁଅ । ବର୍ଷା ରାତିରେ ଏଇ ରାସ୍ତାକଡ଼ରେ କ୍ଲାନ୍ତ ମନ, ଅବଶ ଶରୀରରେ ଶୋଇପଡ଼ିଛି ପୁଅ । ଆଉ ପୁଅକୁ ଛାଡ଼ି ମାଆ କ’ଣ ଘରେ ରହିପାରୁଛି  । ସେ ପରା ମାଆ , ତା ସନ୍ତାନ ବିନା ଘରେ କେମିତି ବା ତା ମନ ଲାଗି ରହିବ ତେଣୁ ତା ସହ ମାଆ ବି ଚାଲିଆସିଛି  ରାସ୍ତାକଡ଼କୁ  । ବର୍ଷା ଦାଉରୁ ସୁରକ୍ଷା ଦେବା ପାଇଁ ଛତାଟିଏ ଧରି ମାଆ ବସିରହିଛି ପୁଅ ପାଖରେ ।  ପୁଅକୁ ଘୋଡେଇ ଦେଉଛି କମ୍ବଳରେ ସୁରକ୍ଷା ପାଇଁ ବାରମ୍ବାର ହାତ ହଲେଇ ଦେଖୁଛି ଶୋଇରହିଥିବା ପୁଅକୁ   ।  ଘଡିକୁ ଘଡି ସେମିତି ଅନେଇ ଦେଖି ଦେଉଛି  ପୁଅକୁ 

Advertisment

ପିଲା ଯେତେ ବଡ଼ ହେଲେ ବି ସେ ମାଆ ପାଇଁ ଛୁଆ  । ତା ମନର କୋହ ଓ ଆଖିର ଲୁହ ହିଁ ଜଣାଇଦିଏ  ମାଆ ସନ୍ତାନ ପାଇଁ କଣ କରିପାରେ । ଆଉ ସେହି ସନ୍ତାନ ଟିଏ ଅସୁସ୍ଥ ହୋଇପଡିଲେ ପଣତ କାନିରେ ଢାଙ୍କି ଦେଇ ତାକୁ ସୁରକ୍ଷା ଦେଇ ବିପଦ ମୁହଁରୁ ଟାଣିଆଣେ   ।  ମାଆ ପାଖରେ ସବୁ ଶକ୍ତି ହାରିଯାଇଥାଏ । ଦୁନିଆର ସବୁଠୁ ଶକ୍ତିଶାଳୀ ହେଉଛି ମାଆ । ସ୍ୱାମୀଙ୍କ ଦେହାନ୍ତ ପରେ ଶାଶୁଘର ଲୋକ ମାଆ-ପୁଅକୁ ଘରୁ ବାହାର କରିଦେଇଛନ୍ତି ।  ତେବେ ବୁଢ଼ୀ  ମା’ର ଭରସାରେ ଏବେ ମାନସିକ ବିକାରଗସ୍ତ ପୁଅ  । ରାସ୍ତାକଡ଼ ଭଙ୍ଗା କୁଡ଼ିଆରେ ଜୀବନର ପ୍ରତିଟି ମୂହୂର୍ତ୍ତ ଗଣି ରହୁଛନ୍ତି ମାଆ ଓ ପୁଅ  ।