Katha Photograph: (Kanak News)
କନକ ବ୍ୟୁରୋ: ଓଡ଼ିଆ ଗଳ୍ପର ନବଜାତକ ‘କଥା’ର ୩୯ତମ ବାର୍ଷିକ ଉତ୍ସବ ଏବଂ ନବପ୍ରତିଭା ପୁରସ୍କାର ସମାରୋହ ଭୁବନେଶ୍ବର ଜୟଦେବ ବିହାରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ୯ ଜଣ ନବ ପ୍ରତିଭାଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବଦ୍ରୀ ନାରାୟଣ ତିଓ୍ବାରୀ ଯୋଗଦେଇଥିଲେ । ନୂଆ ଲେଖକମାନଙ୍କୁ ପରାମର୍ଶ ଦେଇ ବଦ୍ରୀ ନାରାୟଣ ତିଓ୍ବାରୀ କହିଥିଲେ, ଯୁବ ଲେଖକମାନେ ନିଜକୁ ଜାଣନ୍ତୁ, ନିଜ ଶକ୍ତିକୁ ବୁଝନ୍ତୁ । ସ୍ବାଗତ ଭାଷଣ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘କଥା’ ଜନ୍ମର ସ୍ମୃତିଚାରଣ କରିଥିଲେ ।
ଅଧିକ ଗଳ୍ପ ଲେଖାଯାଉ, ନୂଆ ଲେଖକ ସୃଷ୍ଟି ହୁଅନ୍ତୁ । ଗଳ୍ପ ମାଧ୍ୟମରେ ଗଣତନ୍ତ୍ରରେ ଯେଉଁ ପରିବର୍ତ୍ତନ ଆଶା ରଖିଛୁ ତାହା ସାର୍ଥକ ହେଉ ବୋଲି କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସମାରୋହର ପ୍ରଥମ ଅଧିବେଶନରେ ‘ଭାଷାକୁ ବିପଦ ସାମାଜିକ ଗଣମାଧ୍ୟମ’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, ପାରମିତା ଶତପଥୀ ଓ ଅରବିନ୍ଦ ରାୟ ଆଲୋଚନା କରିଥିଲେ । ଦ୍ବିତୀୟ ଅଧିବେଶନରେ ‘ଭାଷା ବଞ୍ଚି ରହିବାରେ ଯୁବ ସମାଜର ଭୂମିକା’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ଦେବପ୍ରସାଦ ଦାଶ, ହିରଣ୍ମୟୀ ମିଶ୍ର ଓ ମାନସ ପଣ୍ଡା ଆଲୋଚନା କରିଥିଲେ ।
ଗଦ୍ୟ ବଞ୍ଚିଲେ ଗଣତନ୍ତ୍ର ବଞ୍ଚିବ। ଭାଷାକୁ ବୁଝିଲେ, ଶୁଣିଲେ, ଲେଖିଲେ ଭାଷା ବଞ୍ଚିରୁହେ। ଯେ ପର୍ଯ୍ୟନ୍ତ ଓଡ଼ିଆ ଥିବେ ଆମ ଭାଷା ବଞ୍ଚି ରହିଥିବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ସେହିପରି ତୃତୀୟ ଅଧିବେଶନରେ ‘ସଂପ୍ରତି ସାହିତ୍ୟ ଓ ସାମ୍ବାଦିକତାରେ ଓଡ଼ିଶାର ସ୍ବର’ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଥିଲା । ଯେଉଁଥିରେ ବିଶିଷ୍ଟ ଲେଖକ-ସଂପାଦକ ସଂଗ୍ରାମ ଜେନା, ଇତିରାଣୀ ସାମନ୍ତ ଓ ଅମରେଶ ବିଶ୍ବାଳ ସାରଗର୍ଭକ ଚର୍ଚ୍ଚା କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ 'ସମ୍ବାଦ' ଓ 'କନକ ନ୍ୟୁଜ୍'ର ସମ୍ପାଦକ ତନୟା ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ନବପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Follow Us