କନକ ବ୍ୟୁରୋ : ପ୍ରତିବର୍ଷ ତୋରଣରେ କିଛି ନୂଆ କରିଦେଖାଉଥବା ରାଜଧାନୀର ବମିଖାଲ ପୂଜା ମଣ୍ଡପରେ ଏଥର ଦେଖିବାକୁ ମିଳିବ ଚୀନ୍ର ମୟୂର ପ୍ୟାଲେସ୍ । ଶୋଭା ପାଇବ ୭୫ ଫୁଟ୍ ଉଚ୍ଚ ଓ ୧୧୦ ଫୁଟ୍ ଚଉଡ଼ାର ତୋରଣ । ପ୍ରଥମ ଥର ପାଇଁ ରୁପାରେ ସଜ୍ଜିତ ହେବେ ଦେବୀ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀ । ଲାଗିବ ୨୫ କେଜିର ଅଳଙ୍କାର । ସୁରକ୍ଷା ପାଇଁ ମଣ୍ଡପରେ ଲାଗିବ ୪୦ଟି ସିସି କ୍ୟାମେରା, ନିୟୋଜିତ ହେବେ ସ୍ବେଚ୍ଛାସେବୀ ।
ବିଶ୍ୱାସ ଓ ଅନ୍ଧବିଶ୍ୱାସ ଥିମ୍ରେ ଝଲସିବ ମଣ୍ଡପ
ପୁରୁଣା ଷ୍ଟେସନ ବଜାରରେ ଏଭଳି ଥିମ୍ରେ ନିର୍ମାଣ ହେଉଛି ତୋରଣ । ଭିତରେ ବଳି ପ୍ରଥାର କାହାଣୀ ସହ ବାହାରେ ଦେଖିବାକୁ ମିଳିବ ଶିବ ତାଣ୍ଡବର ଝଲକ । ରାଜଧାନୀର ପ୍ରଥମ ଚାନ୍ଦି ମେଢ଼ କରିଥିବା ଷ୍ଟେସନବଜାର ପୂଜା କମିଟି ଏଥର ମାଆଙ୍କୁ ଆହୁରି ଅଧିକ ସୁନା ଅଳଙ୍କାରରେ ସଜାଇବାକୁ ଲକ୍ଷ୍ୟ ରଖିଛି । ଶ୍ରଦ୍ଧାଳୁଙ୍କ ପାଇଁ ମଣ୍ଡପରେ ପ୍ରସାଦ ବଣ୍ଟନ ସହ ଅନ୍ଲାଇନ୍ରେ ହୋମ୍ ଡେଲିଭରି ବ୍ୟବସ୍ଥା ବି କରାଯାଉଛି । ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର ।