କନକ ବ୍ୟୁରୋ: ପରିବେଶ ସୁରକ୍ଷା କେବଳ ଆଲୋଚନାରେ ସୀମିତ ରଖିଲେ, କିଛି ଅର୍ଥ ନାହିଁ । ଏଥିପାଇଁ ସମସ୍ତଙ୍କୁ ସଚେତନ ହୋଇ ପଦକ୍ଷେପ ନେବାକୁ ପଡ଼ିବ । ପରିବେଶ ବଞ୍ଚାଇବା ଅଭିଯାନ ଘରଠୁ ଆରମ୍ଭ କରିବାକୁ ହେବ । ତେଣୁ ବଜାର ବାହାରିବା ବେଳେ ଘରୁ ବ୍ୟାଗ୍‌ ଧରି ବାହାରନ୍ତୁ, ଯାହାଫଳରେ ପ୍ଲାଷ୍ଟିକର ବ୍ୟବହାର କମ୍‌ ହୋଇପାରିବ । ପରିବେଶକୁ ପ୍ରଦୂଷଣମୁକ୍ତ କରିବାକୁ ଆବଶ୍ୟକ ଛୋଟ ଛୋଟ ପଦକ୍ଷେପ ବି ଗୁରୁତ୍ବ ରଖେ ବୋଲି ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଆଁରମୁଣ୍ଡାରେ ଆୟୋଜିତ ପରିବେଶ ପଂଚାୟତରେ ମତ ପ୍ରକାଶ ପାଇଛି ।

Advertisment

ପଞ୍ଚତତ୍ତ୍ବ । ଅର୍ଥାତ୍‌ ମାଟି, ପାଣି, ପବନ, ଆକାଶ ଏବଂ ଅଗ୍ନି । ଜୀବନ ବଂଚିବାକୁ, ପରିବେଶର ସନ୍ତୁଳନ ରକ୍ଷା କରିବାକୁ ହେଲେ ଏହି ପଞ୍ଚତତ୍ତ୍ବ ଓ ଏହାର ସନ୍ତୁଳନ ବେଶ୍‌ ଜରୁରୀ । ଏସବୁରୁ ଗୋଟିଏ ବି ବାଦ୍‌ ପଡ଼ିଲେ ପ୍ରଭାବ କେତେ ଭୟଙ୍କର ହୋଇପାରେ, ତାହା ଅନୁମାନ ବି କରିହେବ ନାହିଁ । ତେଣୁ କେବଳ ଆଜି ନୁହେଁ, ଆସନ୍ତାକାଲି ପାଇଁ ବି ଆଜିଠୁ ଚିନ୍ତା କରିବାକୁ ହେବ ବୋଲି ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଆଁରମୁଣ୍ଡାରେ ଆୟୋଜିତ ପରିବେଶ ପଂଚାୟତରେ ମତ ପ୍ରକାଶ ପାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଧାୟକ ରୋହିତ ଯୋଶେଫ୍‌ ତିର୍କୀ ଯାନ୍ତ୍ରିକ ସାମଗ୍ରୀର ବହୁଳ ବ୍ୟବହାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଆମ ଜୀବନକୁ ଏହା କବଳିତ କରୁଥିବା କହିବା ସହ ପ୍ରତିଦିନ ପରିବେଶ ପାଇଁ ଅଧଘଂଟା ସମୟ ବାହାର କରିବାକୁ କହିଛନ୍ତି । ସେହିପରି ଋତୁଚକ୍ର ବିଗିଡ଼ିଯିବାରୁ ପରିବେଶ ଓ ମଣିଷ ଜୀବନ ଉପରେ ବ୍ୟାପକ ପ୍ରଭାବ ପଡୁଥିବା କହିଛନ୍ତି ସ୍ଥାନୀୟ ତହସିଲଦାର ଚନ୍ଦ୍ରଜିତ ବେହେରା । କର୍କଟ ରୋଗୀଙ୍କ ସଂଖ୍ୟା ବଢିବାରେ ପରିବେଶ ପ୍ରଦୂଷଣ କେତେ ଦାୟୀ, ତାହା ଉଦ୍‌ବେଗର ବିଷୟ ବୋଲି କହିଛନ୍ତି ।

ଏହି ପରିବେଶ ପଂଚାୟତରେ ସାମିଲ ହୋଇ କୁଆଁରମୁଣ୍ଡା ରେଞ୍ଜର ପଞ୍ଚନାରାୟଣ ସରାଫ ଓ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବାଶିଷ ପାଢ଼ୀ ମଣିଷ ଓ ପରିବେଶ ପାଇଁ ପ୍ଲାଷ୍ଟିକ ଆଣୁଥିବା ବିପଦ ବିଷୟରେ ଆଲୋଚନା କରିଥିଲେ । କପ୍‌ଠୁ ପାଣି ବୋତଲ, ସବୁକିଛି ପ୍ଲାଷ୍ଟିକ ଆମେ ବ୍ୟବହାର କରୁଛୁ । ଜଣେ ବ୍ୟକ୍ତିର ଶରୀରକୁ ସପ୍ତାହକରେ ପ୍ରାୟ ୨ହଜାର ପ୍ଲାଷ୍ଟିକ କଣିକା ପ୍ରବେଶ କରୁଛି, ଏଥିରୁ ଆମକୁ ବୁଝିବାକୁ ପଡ଼ିବ ଏହା ଆମ ପାଇଁ କେତେ ବିପଦ ଆଣିପାରେ । ତେଣୁ ପ୍ଲାଷ୍ଟିକର କମ୍‌ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି ଅତିଥି । ଅନ୍ୟପଟେ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଛ ଲଗାଇବା ଓ ପରିବେଶ ସୁରକ୍ଷାର ଗୁରୁତ୍ବ କେତେ ବୁଝିଥିବା କହିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।