ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୭୬ତମ ଜନ୍ମଦିନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ରଘୁବର ଦାସ ଏକ ବାର୍ତ୍ତାରେ କହିଛନ୍ତି ଯେ ଜଣେ ପ୍ରସିଦ୍ଧ ବିଦ୍ୱାନ ଓ ଆଧ୍ୟାତ୍ମିକ ଚିନ୍ତକ ଭାବରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କର ସତନ୍ତ୍ର ପରିଚୟ ରହିଛି । ଗତ ପଚିଶି ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେ କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଭାରତୀୟ ଦର୍ଶନ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଆସୁଛନ୍ତି । ତାଙ୍କରି ପ୍ରେରଣା ଓ ମାର୍ଗଦର୍ଶନରେ ପରୋପକାର, ସାମୁଦାୟିକ ବିକାଶ, ଅଧ୍ୟାତ୍ମବାଦ ଏବଂ ଭାରତୀୟ ସଂସ୍କୃତି ପ୍ରତି ସମର୍ପିଦ ଶତାଧିକ ଅନୁଷ୍କାଳ ଆମେରିକା, କାନଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ବ୍ରିଟେନ ଓ ୟୁରୋପରେ ଗଢ଼ି ଉଠିଛି । ତାଙ୍କର ଜନ୍ମଦିନରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିବା ସହିତ ଭାରତୀୟ ଆଧ୍ୟାତ୍ମିକ ସଂସ୍କୃତିର ଅଧ‌ିକରୁ ଅଧ‌ିକ ପ୍ରଚାର ପ୍ରସାର କରିବାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସହାୟ ହୁଅନ୍ତୁ, ଏହି ପ୍ରାର୍ଥନା କରୁଛି ବୋଲି ରାଜ୍ୟପାଳ କହିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ । ସେ ଜଣେ ମହାନ୍ ଗୁରୁ ଓ ଦିବ୍ୟାତ୍ମା । କଠିନ ପରିଶ୍ରମ, ଏକନିଷ୍ଠ ସାଧନା ଓ ଅନନ୍ୟ ଈଶ୍ବର ଭକ୍ତି ବଳରେ ସେ ସାରା ବିଶ୍ବର କୋଟି କୋଟି ଲୋକଙ୍କ ପାଇଁ ମାର୍ଗଦର୍ଶକ ସାଜିଛନ୍ତି । ମୁଁ ତାଙ୍କର ଦୀର୍ଘ, ନିରାମୟ ଓ ପବିତ୍ର ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ସଦଗୁରୁ ଶ୍ରୀସାଇନାଥଙ୍କ ଚରଣରେ ପ୍ରାର୍ଥନା କରୁଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୁରୁଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କର ଜ୍ଞାନ, କରୁଣା ଓ ମାର୍ଗଦର୍ଶନ ଅସଂଖ୍ୟ ଲୋକଙ୍କ ପାଇ ପ୍ରେରଣାର ସ୍ରୋତ ପାଲଟିଛି । ତାଙ୍କର ଦିଗଦର୍ଶନ ଓ ଆନ୍ତରିକ ସ୍ନେହ ପାଇଁ ଆମେ ସଦାସର୍ବଦା କୃତଜ୍ଞ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନସ୍ଥ କୁମାର ପଟ୍ଟନାୟକ ଗୁରୁଜୀଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଖରାପ ସମୟରେ ତାଙ୍କର ମାନସିକ ଓ ଆଧ୍ୟାତ୍ମିକ ସମର୍ଥନ ମୁଁ ନିଜେ ଓ ଅଗଣିତ ବ୍ୟକ୍ତି ଅନୁଭବ କରିଆସିଛନ୍ତି । ମୁଁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି ବୋଲି ସେ କହିଛନ୍ତି ।

ଜ୍ଞାନପୀଠ ପୁରସ୍କାର ବିଜେତା ତଥା କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ପ୍ରାକ୍ତନ ସଚିବ ସୀତାକାନ୍ତ ମହାପାତ୍ର ଜନ୍ମଦିନରେ ଗୁରୁଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେହିପରି ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥ ଗୁରୁଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଆସନ୍ତାକାଲି ବିଭିନ୍ନ ଅନୁଷ୍ଠାନ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ ଗୁରୁଜୀଙ୍କର ଜନ୍ମଦିବସ ବିପୁଳ ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହେବାକୁ ଯାଉଛି । 

ଉପମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଓ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା