କନକ ବ୍ୟୁରୋ : ଜଳେଶ୍ବର, ବସ୍ତା, ଉଦଳା, ଉତ୍ତର ବାଲେଶ୍ବରରେ ବନ୍ୟା ସ୍ଥିତି, ଗାଁ ଗାଁରେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସାଂଘାତିକ ବନ୍ୟା ସ୍ଥିତିର ଦୃଶ୍ୟ ଆସିଛି ବାଲେଶ୍ବର ଓ ମୟୂରଭଞ୍ଜର ବିଭିନ୍ନ ସ୍ଥାନରୁ । ଜଳ ବିଭୀଷିକାର ଉଗ୍ରରୂପ ଏଠାରେ ଦେଖିବାକୁ ମିଳିଛି । ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବନ୍ୟା ଆସି ଉତ୍ତର ବାଲେଶ୍ବରେ ସ୍ଥିତି ସଙ୍ଗୀନ ହୋଇଛି । କେଉଁଠି ଗାଁରେ ପାଣି ପଶିଛି ତ କେଉଁଠି ଡଙ୍ଗା ପାଲଟିଛି ଯାତାୟତର ଭରସା । ଆଖି ବୁଲାଇଲେ ଖାଲି ପାଣି ଆଉ ପାଣି । ନଦୀର ଜଳସ୍ତର ବଢିବା ଫଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ବାଲେଶ୍ବରର ଭୋଗରାଇ ଓ ବାଲିଆପାଳ ଅଧିକ ପ୍ରଭାବିତ ହୋଇଛି । ସୁବର୍ଣ୍ଣରେଖା ନଦୀ ଜଳସ୍ତର ବଢ଼ିବା ଫଳରେ ଭୋଗରାଇର ୨୨ଟି ଗାଁ ଓ ବାଲିଆପାଳର ୨୫ଟି ଗାଁ ପାଣିଘେରରେ ଅଛି । ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ହଜାରେରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଛି । ଜଳକା ନଦୀରେ ବନ୍ୟା ଆସିବା ଫଳରେ ବସ୍ତା ବ୍ଲକର ୩୦ରୁ ଅଧିକ ଗାଁ ପାଣିଘେରରେ ରହିଛି ।
ମୟୂରଭଞ୍ଜରେ ପୋଲ ଉପରେ ଚାଲୁଛି ପାଣି
ସୁବର୍ଣ୍ଣରେଖା ଫୁଲିବା ଫଳରେ ମୟୂରଭଞ୍ଜର ସାରସକଣା ବ୍ଲକର ନେଦା ଓ ରାସଗୋବିନ୍ଦପୁରର ଟିକାୟତପୁର ପ୍ରଭାବିତ ହୋଇଛି । ଗାଁର କିଛି କିଛି ଜାଗାରେ ପାଣି ପଶିଛି । ୫ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ଶିମିଳିପାଳରେ ବର୍ଷା ହେବା ଫଳରେ ଦେଓ ଏବଂ ସଞ୍ଜ ନଦୀର ଜଳସ୍ତର ବଢୁଛି । ଫଳରେ ଉଦଳା-ରେମୁଣା ରାସ୍ତା ଠପ୍ ହୋଇଯାଇଛି । ଜାମୁଘାଟ ପୋଲ ଉପରେ ପାଣି ଚାଲିଛି । ସୋନ ଓ କାଳ ଡ୍ୟାମର ଜଳସ୍ତର ବଢୁଛି । ବନ୍ୟାକୁ ଦୃଷ୍ଟିରେ ରଖି କାଳ ଡ୍ୟାମର ଗୋଟିଏ ଗେଟ୍ ଖୋଲାଯାଇଛି । ସେପଟେ ଭୁବନେଶ୍ବରରେ ଉତ୍ତର ଓଡିଶାରେ ବନ୍ୟା ଆଶଙ୍କା ନେଇ ସମୀକ୍ଷା ହୋଇଛି । ସମ୍ଭାବ୍ୟ ବନ୍ୟାସ୍ଥିତିକୁ ଦେଖି ଏନଡିଆରଏଫ ଟିମ ବାଲେଶ୍ବର ଓ ମୟୂରଭଞ୍ଜରେ ଉପସ୍ଥିତ ଅଛନ୍ତି । ଝାଡଖଣ୍ଡ ସରକାରଙ୍କ ସହ ସମ୍ପର୍କରେ ଅଛନ୍ତି ରାଜ୍ୟ ସରକାର । ୭ରୁ ୮ଟି ଘାଇ ସୃଷ୍ଟି ହୋଇ ମରାମତି ହୋଇଛି ।