କନକ ବ୍ୟୁରୋ: ପାର୍ବଣ ପାଇଁ ଚଳଚଞ୍ଚଳ ମାର୍କେଟ । କପଡ଼ା ବଜାରରେ ନୂଆ ଡିଜାଇନ୍ର ଡ୍ରେସ୍ ଓ ଶାଢ଼ି ମିଳୁଥିବା ବେଳେ ରାସ୍ତା କଡ଼ରେ ବିକ୍ରି ହେଉଛି ଗୁଜରାଟୀ ଘାଘରା ଚୋଲି । ଦେଖିବାକୁ ଯେତିକି ସୁନ୍ଦର, ସେତିକି ମନଲୋଭା ମଧ୍ୟ । ବାଲେଶ୍ବର ସହରରେ ରାସ୍ତାକଡ଼ରେ ଝୁଲୁଛି ଏମିତି ଭଳିକି ଭଳି ରଙ୍ଗ ବେରଙ୍ଗର ପୋଷାକ । ବିଭିନ୍ନ ଡିଜାଇନ୍ର ମିରର ସହ ହାତ କାମ ବି ହୋଇଛି ଏଥିରେ । ଯାହାକି ଫ୍ୟାସନ୍ ଲୁକ୍କୁ ଆହୁରି ବଢ଼ାଉଛି । ଘେର ଥିବା ସ୍କଟ, ବ୍ଲାଉଜ ସାଙ୍ଗକୁ ଓଢ଼ଣୀ ବେଶ୍ ଆକର୍ଷଣୀୟ । କିଣିବା ପାଇଁ ରାସ୍ତା କଡ଼ରେ ଲାଗୁଛି ଗ୍ରାହକଙ୍କ ଭିଡ଼ ।
ସେମିତି ବିଭିନ୍ନ ଡିଜାଇନର ଶାଢ଼ି ବି ମିଳୁଛି ପକେଟକୁ ସୁହାଇଲା ଭଳି ଦାମ୍ରେ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପର୍ଯ୍ୟନ୍ତ ସବୁ ଭେରାଇଟର ଗୁଜରାଟୀ ପୋଷାକ, କୁସନ କଭର ଓ ବେଡସିଟ୍ର ପସରା ମେଲିଛି ଏଠି । ବ୍ୟବସାୟୀ ଏତେ ସୁନ୍ଦର୍ ଭାବେ ସଜେଇଛନ୍ତି ଯେ, ଯିଏ ଯାଉଛି ଟିକିଏ ଅଟକି ଯାଉଛି, ଆଉ କିଣାକିଣି କରି ଘରକୁ ନେଉଛନ୍ତି । ଆଗକୁ ନବରାତ୍ର ଥିବାରୁ ଘାଘରା ଚୋଲିର ବେଶ୍ ଚାହିଦା ରହିଛି ।