କନକ ବ୍ୟୁରୋ : ଯାଜପୁର ମୁଖ୍ୟ ଡାକ୍ତରଖାନାରୁ ଆସିଲା ସାଂଘାତିକ ଦୃଶ୍ୟ । ଜିଲ୍ଲାରେ ଝାଡାବାନ୍ତି ଏଭଳି ବ୍ୟାପିଛି ଯେ, ମେଡିକାଲରେ ବେଡ୍ ନାହିଁ । ଯିଏ ଯେଉଁଠି ପାରିଲା ଶୋଇଛି । ଝାଡ଼ାବାନ୍ତି କବଳରେ ଯାଜପୁର ଜିଲ୍ଲା । ଆଉ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶହଶହ ରୋଗୀଙ୍କ ଲମ୍ବା ଲାଇନକୁ ଦେଖିଲେ ଭୟ ଲାଗୁଛି । ଜିଲ୍ଲାର ଧର୍ମଶାଳା, ଯାଜପୁର, ଦାନଗଦି, କୋରେଇ, ରସୁଲପୁର ବ୍ଲକରେ ବ୍ୟାପିଛି ଝାଡ଼ାବାନ୍ତି । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶତାଧିକରୁ ଅଧିକ ରୋଗୀ ରହିଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବି ରୋଗୀ ଆସିଛନ୍ତି । ରସୁଲପୁର ବ୍ଲକର ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଝାଡ଼ାବାନ୍ତିର କାରଣ ଭୋଜି ଓ ବିଷାକ୍ତ ପାଣି!
ଯାଜପୁର ରୋଡ୍, କୋରେଇ ଓ ଦାନଗଦି ମେଡିକାଲରେ ମଧ୍ୟ ରୋଗୀଙ୍କ ଲାଇନ ଲାଗିଛି । ଯାଜପୁର ରୋଡ ମେଡିକାଲରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦାନଗଦି ମେଡିକାଲରେ ଜଣକର ମୃତ୍ୟୁ ହୋଇଛି । ଘଟଣାରେ ଯାଞ୍ଚ ଆରମ୍ଭ ହୋଇଛି । ବାହାଘର ଭୋଜି, ଖରାପ ପାଣି କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଯାହାକି ରୋଗର କାରଣ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ ବି ଜିଲ୍ଲାରେ ପହଞ୍ଚିଛି । ଭୟଭୀତ ନହୋଇ ଖାଦ୍ୟ ଓ ପାନୀୟ ଉପରେ ଯତ୍ନ ନେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।