କନକ ବ୍ୟୁରୋ: ପରିବେଶ ଚିନ୍ତାରେ ବାରିପଦା ସହରର ବିମ୍ବାଧର । ଦୀର୍ଘ ୧୯ ବର୍ଷ ଧରି ଲଗାଇ ଆସୁଛନ୍ତି କେବଳ ନିମଗଛ । ବର୍ତ୍ତମାନ ସୁଦ୍ଧା ୪୫ରୁ ୫୦ ହଜାର ନିମଗଛ ରୋପଣ କରିସାରିଛନ୍ତି । ଏହି କାମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ନିମ ମ୍ୟାନ୍ ଭାବେ ବେଶ ପରିଚିତ । ପ୍ରଥମେ ପ୍ରଥମେ ନିଜେ ଏହି କାମ କରୁଥିଲେ । ଏବେ ତାଙ୍କ ସାଥିରେ ସାମିଲ ହୋଇଛନ୍ତି ଶତାଧିକ ଲୋକ ।
ବାରିପଦାରେ ନିମ ମଣିଷ ଭାବେ ପରିଚିତ ବିମ୍ବାଧର ସାହୁ, ପେସାରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ପିଲାଟି ଦିନରୁ ପରିବେଶକୁ ନେଇ ଖୁବ୍ ଯତ୍ନବାନ୍ । ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ଏକ ବଡ଼ ସଙ୍କଟ ତାଙ୍କ ମନକୁ ଆନ୍ଦୋଳିତ କରିଛି । ପରିବେଶକୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ୨୦୦୬ରୁ ଅଭିଯାନ ଜାରି ରଖିଛନ୍ତି ବିମ୍ବାଧର । କେବଳ ନିମଗଛକୁ ହିଁ ପ୍ରାଧାନ୍ୟ ଦେଉଛନ୍ତି । ନିଜେ ନିମଗଛ ମୂଳରୁ ନିମ ଫଳକୁ ଗୋଟାଇ ସେଥିରୁ ଚାରା କରନ୍ତି । ପରେ ବିଭିନ୍ନ ସ୍ଥାନରେ ରୋପଣ କରିଥାନ୍ତି । ୧୯ ବର୍ଷ ଧରି ମୟୂରଭଞ୍ଜ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ନିମଗଛ ଲଗାଇ ‘ନିମ୍ ମ୍ୟାନ୍’ ନାମରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିମ୍ବାଧର ।
ନିମଗଛରେ ପ୍ରଚୁର ମାତ୍ରାରେ ଔଷଧୀୟ ଗୁଣ ରହିଛି । ଏହା ଅଧିକ ମାତ୍ରାରେ ଅମ୍ଳଜାନ ଦେଇଥାଏ । ନିମ ଗଛରେ ଚେରଠାରୁ ପତ୍ର, ସବୁ ଖୁବ୍ ଦରକାରୀ । ସବୁଠାରୁ ବଡ଼ କଥା ହେଉଛି ନିମ ଦାରୁରେ ତିଆରି ହୁଅନ୍ତି କୋଟି ଓଡି଼ଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ । ତେଣୁ ନିମଗଛ ପ୍ରତି ବିମ୍ବାଧରଙ୍କର ଭାରି ଆଦର । ମହାମହିମ ରାଷ୍ଟ୍ରପତିଙ୍କୁ ମଧ୍ୟ ଉପହାର ସ୍ୱରୂପ ନିମଗଛ ପ୍ରଦାନ କରିଛନ୍ତି ନିମ୍ ମ୍ୟାନ୍ ବିମ୍ବାଦର ।
ପ୍ରଥମେ ନିଜେ ଚାରାରୋପଣ କରି ଗଛର ଯତ୍ନ ନେଉଥିଲେ । ଏବେ ତାଙ୍କ ହାତମୁଠା ଟାଣ ହୋଇଛି। ନିମ ପରିବାର କଳେବର ବଢ଼ିଛି । ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି, ଶିକ୍ଷକ, ବ୍ୟବସାୟୀ, ଉତ୍ସାହୀ ଯୁବଗୋଷ୍ଠୀ ଏବଂ ଅବସରପ୍ରାପ୍ତ ଅଧିକାରୀ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି । ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ବିମ୍ବାଧରଙ୍କ ସହ ଯୋଡ଼ି ହୋଇ ନିମ ଗଛ ରୋପଣ କରିଆସୁଛନ୍ତି । ବାରିପଦାରୁ ଆରମ୍ଭ ହୋଇଥିବା ଏହି ସୁନ୍ଦର କାର୍ଯ୍ୟକ୍ରମ ସାରା ରାଜ୍ୟ ଓ ଦେଶରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି । ସୁଯୋଗ ମିଳିଲେ ବିଦେଶରେ ମଧ୍ୟ ନିମଗଛ ରୋପଣ କରି ବିଶ୍ବକୁ ସୁସ୍ଥ ଅମ୍ଳଜାନ ପ୍ରଦାନ କରିବା ଲକ୍ଷ୍ୟ ନେଇ କାମ କରୁଛି ‘ଗ୍ଲୋବାଲ୍ ନିମ୍ ପ୍ଲାଣ୍ଟେସନ୍’ ।