କନକ ବ୍ୟୁରୋ : ଡିଜିଟାଲ ପ୍ରଚାରରେ ବିଜେଡିର ବାଜିମାତ । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାରରେ କଂଗ୍ରେସ ଓ ବିଜେପିକୁ ପଛରେ ପକାଇଛି ବିଜେଡି । ଏଡିଆର ବା ଏସୋସିଏସନ୍ ଫର ଡିମୋକ୍ରାଟିକ୍ ରିଫର୍ମ୍ସ ରିପୋର୍ଟରେ ଏ ତଥ୍ୟ ସାମ୍ନାକୁ ଆସିଛି । ଡିଜିଟାଲ ପ୍ରଚାର ବାବଦରେ ବିଜୁ ଜନତା ଦଳ ଏକାକୀ ଖର୍ଚ୍ଚ କରିଛି ୮୩ ଦଶମିକ ୩ କୋଟି । ଅର୍ଥାତ ସୋସିଆଲ୍ ମିଡିଆରେ ପ୍ରଚାର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ବିଜେଡି । ସେହି ତୁଳନାରେ କଂଗ୍ରେସ ଡିଜିଟାଲ ପ୍ରଚାର ପାଇଁ ୪୭.୬୯ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ସରକାର ଗଢ଼ିଥିବା ବିଜେପି ମାତ୍ର ୧ କୋଟି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହିପରି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ୨୭୮ କୋଟି ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ସେହି ତୁଳନାରେ ବିଜେପି ସର୍ବାଧିକ ୧୪ଶହ ୯୪ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହା ରାଜନୈତିକ ଦଳମାନଙ୍କ ଦ୍ବାରା ମୋଟ୍ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ । ବିଜେପି ପଛକୁ କଂଗ୍ରେସ ୨୦୨୪ ନିର୍ବାଚନରେ ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନରେ ରହିଛି । କଂଗ୍ରେସର ନିର୍ବାଚନ ଖର୍ଚ୍ଚ ମୋଟ ନିର୍ବାଚନ ଖର୍ଚ୍ଚର ୧୮.୫ ପ୍ରତିଶ ତ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକର ତଥ୍ୟ ଆକଳନ କରି ଏଡିଆର୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।
ଚମକାଇ ଦେଲା ୨୦୨୪ ନିବାଚନ ଖର୍ଚ୍ଚ
- ୨୦୨୪ରେ ମୋଟ୍ ୩୩୫୨. ୮୧ କୋଟି ଟଙ୍କା ଖର୍ଚ୍ଚ
- ଏକା ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି
- ୬୨୦ କୋଟି ଟଙ୍କା ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ
- ଜାତୀୟ ଦଳଗୁଡ଼ିକ ୨୨୦୪ କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି - ଆଞ୍ଚଳିକ ଦଳଗୁଡ଼ିକ ୧୧୪୮.୪୯ କୋଟି ଟଙ୍କା (୩୪.୨୫%) ଖର୍ଚ୍ଚ କରିଛନ୍ତି
- ୱାଇଏସ୍ଆର କଂଗ୍ରେସ ୩୨୫.୬୭ (୯.୭୧ପ୍ରତିଶତ) କୋଟି ଖର୍ଚ୍ଚ କରିଛି
- ବିଜେଡି ୨୭୮.୦୩ କୋଟି ଟଙ୍କା (୮.୨୯ ପ୍ରତିଶତ) ଖର୍ଚ୍ଚ କରିଛି
- ତୃଣମୂଳ କଂଗ୍ରେସ ୧୪୭.୬୮ କୋଟି ଟଙ୍କା (୪.୪୦ ପ୍ରତିଶତ) ଖର୍ଚ୍ଚ କରିଛି
ଡିଜିଟାଲ ପ୍ରଚାରରେ ଖର୍ଚ୍ଚ, ଶୀର୍ଷରେ ବିଜେଡି
- ଡିଜିଟାଲ ପ୍ରଚାରରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେଡି
- ଡିଜିଟାଲ ମିଡିଆରେ ପ୍ରଚାର ପାଇଁ ହାତ ଖୋଲିଦେଇଥିଲା ବିଜେଡି
- ବିଜେଡି ଡିଜିଟାଲ ପ୍ରଚାର ପାଇଁ ୮୩.୦୩ କୋଟି ଟଙ୍କା ଖର୍ଚ୍ଚ କରିଛି
- ୟୁଟ୍ୟୁବ୍, ଫେସବୁକ୍, ଇନଷ୍ଟା,ଏକ୍ସ ପ୍ରଚାରରେ ଏହି ଟଙ୍କା ଖର୍ଚ୍ଚ କରିଛି ବିଜେଡି
- କଂଗ୍ରେସ ଡିଜିଟାଲ ପ୍ରଚାର ପାଇଁ ୪୭.୬୯ କୋଟି ଟଙ୍କା ଖର୍ଚ୍ଚ କରିଛି
- ବିଜେପି ଡିଜିଟାଲ ପ୍ରଚାରରେ ଖର୍ଚ୍ଚ କରିଛି ମାତ୍ର ୧.୦୬ କୋଟି
- ଡିଜିଟାଲ ପ୍ରଚାର ପାଇଁ ବିଭିନ୍ନ ଦଳ ମୋଟ୍ ୧୩୨ କୋଟି ଖର୍ଚ୍ଚ କରିଛନ୍ତି
- ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ବିଜ୍ଞାପନ ପାଇଁ ୨୮.୨୫ କୋଟି ଟଙ୍କା ଖର୍ଚ୍ଚ
ପାଣ୍ଠି ପାଇଛନ୍ତି ରାଜନୈତିକ ଦଳ
- ମୋଟ୍ ପାଣ୍ଠି ବାବଦରେ ଜାତୀୟ ଦଳଗୁଡ଼ିକ ୬୯୩୦.୨୪୬ କୋଟି ଟଙ୍କା ପାଇଛନ୍ତି
- ଆଞ୍ଚଳିକ ଦଳଗୁଡ଼ିକ ୫୧୫.୩୨ କୋଟି ଟଙ୍କା( ୬.୯୨%) ପାଇଛନ୍ତି
- ବିଜେପି ଚାନ୍ଦା ବାବଦରେ ୬,୨୬୮ କୋଟି ପାଇଛି
- କଂଗ୍ରେସ ୫୯୨.୪୮ କୋଟି ପାଇଛି
- ମୋଟ୍ ନିର୍ବାଚନ ବ୍ୟୟରୁ ପ୍ରଚାର କାର୍ଯ୍ୟରେ ୨,୦୦୮ କୋଟି ଟଙ୍କା ଖର୍ଚ୍ଚ