crime Photograph: (kanak news)
କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରୁ ଏକ ଅତି ଜଘନ୍ୟ ତଥା ହୃଦୟବିଦାରକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି, ଯାହା ସମାଜରେ ସମ୍ପର୍କର ଅଧଃପତନକୁ ଦର୍ଶାଉଛି । ଜଣେ ନାବାଳିକା ଝିଅ ନିଜ ପ୍ରେମ ପାଇଁ ଜନ୍ମକଲା ମାଆ ଓ ସାନ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମିକ ସହ ମିଶି ନିଜ ପରିବାରକୁ ଶେଷ କରିଦେଇଛି । ସୂଚନା ଅନୁସାରେ, ଗତ ୧୮ ତାରିଖ ବିଳମ୍ବିତ ରାତି ପ୍ରାୟ ଗୋଟାଏରୁ ଦୁଇଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ପ୍ରେମିକ ପି. ଆଦି ରାଓ ଏବଂ ତାର ତିନିଜଣ ସାଙ୍ଗକୁ ଘରକୁ ଡାକି ନାବାଳିକା ଝିଅ ଏହି ଷଡ଼୍ଯନ୍ତ୍ର ରଚିଥିଲା । ମାଆ ଶୋଇଥିବା ଅବସ୍ଥାରେ ଝିଅ ତାଙ୍କ ହାତକୁ ଚାପି ଧରିଥିଲା ଏବଂ ପ୍ରେମିକ ଗୋଡ଼କୁ ଧରିଥିବା ବେଳେ ସାଙ୍ଗ ପ୍ରିତ ନାୟକ ଧାରୁଆ ଅସ୍ତ୍ରରେ ମାଆଙ୍କ ଗଳାକାଟି ହତ୍ୟା କରିଥିଲା । ଏହି ସମୟରେ ସାନ ଭାଇ ଘଟଣା ବିଷୟରେ ଜାଣିଯିବାରୁ ତାକୁ ମଧ୍ୟ ଅତି ନିଷ୍ଠୁର ଭାବେ ଛୁରୀରେ ଭୁସି ହତ୍ୟା କରାଯାଇଥିଲା ।
ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନେ ଶବକୁ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତି ଦେଇଥିଲେ । ଘଟଣାକୁ ଚପେଇ ଦେବା ପାଇଁ ନାବାଳିକା ଜଣକ ମାଆ ଓ ଭାଇ ସ୍କୁଟିରେ କେଉଁଆଡେ ଚାଲିଯାଇଛନ୍ତି ବୋଲି କହି ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା । ମାତ୍ର ମାମୁଁଙ୍କର ସନ୍ଦେହ ହେବାରୁ ସେ ଥାନାରେ ଅଭିଯୋଗ କରିଥିଲେ । କୋରାପୁଟ ପୁଲିସ ତଦନ୍ତ କରି ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ପୁଲିସ ସୂଚନା ଅନୁସାରେ, ପ୍ରେମ ସମ୍ପର୍କକୁ ପରିବାରର ସ୍ୱୀକୃତି ନମିଳିବାରୁ ଏଭଳି ଚରମ ତଥା ଅମାନୁଷିକ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ପୁଲିସ ନାବାଳିକାକୁ ଅଟକ ରଖିବା ସହ ପ୍ରେମିକ ଓ ତା’ର ତିନି ସାଙ୍ଗକୁ ଗିରଫ କରି ଜେଲ ପଠାଇ ଦେଇଛି । ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ବା ବିଏନ୍ଏସ ୧୦୩(୧) ଧାରାରେ ହତ୍ୟା ମାମଲା ରୁଜୁ ହୋଇଛି ।
Follow Us