କନକ ବ୍ୟୁରୋ : ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ। ଗାଁରୁ ସହର । ସାରା ଓଡ଼ିଶାରେ ଦେଖିବାକୁ ମିଳିଛି କଂଗ୍ରେସ ବନ୍ଦର ପ୍ରଭାବ । ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଶୂନଶାନ୍ । ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ରାଜଧାନୀରେ ସକାଳୁ ସକାଳୁ ରାଜରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ । ଏଥର କିନ୍ତୁ ଅନ୍ଦାଜ ଥିଲା ଭିନ୍ନ । ପିସିସି ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ନେତୃତ୍ବରେ ଭାଗ ଭାଗ ହୋଇ ରାଜଧାନୀର ଛକ ଛକରେ ପିକେଟିଂ କରିଥିଲେ କଂଗ୍ରେସ କର୍ମୀ । ଗୋଲାପ ଓ ଚକଲେଟ୍ ଦେଇ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ । ରେଳ ଷ୍ଟେସନରେ ପଶିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ କର୍ମୀଙ୍କ ସହ ସୁରକ୍ଷାକର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଭିତରେ ଏକ ବାଇକ ରାଲିରେ ଆସି ଲୋକସେବା ଭବନ ଘେରାଉ ଉଦ୍ୟମ କରିଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପିସିସି ସଭାପତିଙ୍କ ସମେତ ଅନ୍ୟ ନେତାଙ୍କୁ ଉଠାଇ ନେଇଥିଲା ପୁଲିସ । ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ ।
କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ୮ଟି ଦଳ ସମର୍ଥନ ଦେଇ ଏଥିରେ ସାମିଲ ହୋଇଥିଲେ । ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ୩୦ ଜିଲ୍ଲାରେ ଉଠିଥିଲା ସରକାରଙ୍କ ବିରୋଧରେ ପ୍ରତିବାଦର ସ୍ବର । କଟକରୁ କଳାହାଣ୍ଡି, ମାଲକାନଗିରିରୁ ମୟୂରଭଞ୍ଜ। ସବୁଠି ସମାନ ଦୃଶ୍ୟ । ରାସ୍ତାକୁ ଆସୁଥିବା ଗାଡ଼ି ଚାଳକଙ୍କୁ ଅଟକାଇବା ସହ ସହଯୋଗ ପାଇଁ ହାତ ଯୋଡ଼ିଥିଲେ କଂଗ୍ରେସ କର୍ମୀ । କିଛି କିଛି ସ୍ଥାନରେ ବସ୍ ଅଟକାଇଥିଲେ । ସରକାରୀ ଅଫିସରେ ପହଞ୍ଚି କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ । କଂଗ୍ରେସର ଆନ୍ଦୋଳନ କାଁ ଭାଁ ଯୁକ୍ତିତର୍କକୁ ଛାଡ଼ିଦେଲେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରଭାବରେ ପୂରା ଓଡ଼ିଶା ଠପ୍ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/17/hkkjhnjk-2025-07-17-19-09-26.jpg)