କନକ ବ୍ୟୁରୋ : ବାଙ୍କୀ କୁମୁସର ଜଙ୍ଗଲରେ ଚନ୍ଦକା ହାତୀ । ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ଅନ୍ୟପଟେ ହାତୀକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ୪ଟି ପଞ୍ଚାୟତର ବାସିନ୍ଦା । ସୂଚନା ଅନୁସାରେ ଗତକାଲି ଚନ୍ଦକା ଅଭୟାରଣ୍ୟରୁ ଗୋଟିଏ ଦନ୍ତାହାତୀ ବାଙ୍କୀ ବ୍ଲକର ବ୍ରହ୍ମପୁରା ଅଞ୍ଚଳକୁ ପଶି ଆସିଛି । ହାତୀଟିର ବୟସ ପାଖାପାଖି ୧୦ ବର୍ଷ ହେବ ଅନୁମାନ କରାଯାଉଛି ।
ତେବେ ସେ ବାଟ ଭୁଲି ଏହି ଅଞ୍ଚଳକୁ ଚାଲି ଆସିଥିବା ବନବିଭାଗ ସ୍ପଷ୍ଟ କରିଛି । ହାତୀଟି ଏବେ କୁମୁସର ଜଙ୍ଗଲରେ ରହିଥିବା ବେଳେ ଡ୍ରୋନ ସାହାଯ୍ୟରେ ହାତୀର ଗତିବିଧି ଉପରେ ବନବିଭାଗ ନଜର ରଖିଛି । ହାତୀଟି ଅଭୟାରଣ୍ୟ ଛାଡି ଜନବସତି ମୁହାଁ ହୋଇଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରାଯାଉଛି । ଏପରିକି ସଂଧ୍ୟା ପରେ ଘରୁ ନବାହାରିବାକୁ ବନବିଭାଗ ଲୋକଙ୍କୁ ନିବେଦନ କରିଛି । କିଆପଲ୍ଲା ପଞ୍ଚାୟତର ତାରିଣୀ ଛକରୁ ନରଗାଙ୍ଗ ମୁଖ୍ୟ ରାସ୍ତାକୁ ବନବିଭାଗ ସିଲ କରିଦେଇଛି । ଘଟଣା ସ୍ଥଳରେ ଖୋର୍ଦ୍ଧା ଫରେଷ୍ଟ ଡିଭିଜନ ରେଞ୍ଜ ଅଫିସର ଜୟକୃଷ୍ଣ ପଣ୍ଡା, ବାଙ୍କୀ ଶିଶୁଆ ଫରେଷ୍ଟର ସୀତାକାନ୍ତ ବେହେରା, ବୈଦେଶ୍ଵର ଫରେଷ୍ଟର ଗଦାଧର ବିଶ୍ଵାଳ ଓ ସୁନାଦେଇ ବିଦ୍ୟୁତ ଡିଭିଜନର କର୍ମଚାରୀମାନେ ଏହି ଅପରେସନରେ ସାମିଲ ହୋଇଛନ୍ତି । ବନବିଭାଗ ପକ୍ଷରୁ ହାତୀଟିକୁ ପୁନର୍ବାର ଚନ୍ଦକା ଅଭୟାରଣ୍ୟକୁ ଫେରାଇ ନେବାକୁ ଉଦ୍ୟମ ଜାରି ରହିଛି ।