କନକ ବ୍ୟୁରୋ: ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ପରେ ସତର୍କ ହୋଇଯାଇଛି କମିସନରେଟ୍ ପୁଲିସ । ଏଥର ରାତି ୯ଟା ପରେ ବାଣ ଫୁଟାଇଲେ ଆପଣଙ୍କୁ ବାନ୍ଧିବ ପୁଲିସ । ଦୀପାବଳି ନେଇ ରାଜଧାନୀବାସୀଙ୍କ ପାଇଁ କମିସନରେଟ ପୁଲିସ ନିର୍ଦ୍ଦେଶାବଳୀ ଜାରି କରିଛି ।
ଭୁବନେଶ୍ବରରେ ଏଥର ରାତି ୧୦ଟା ନୁହେଁ ବରଂ ରାତି ୯ଟା ହେଉଛି ବାଣ ଫୁଟାଇବାର ସମୟ ସୀମା । ରାତି ୯ଟା ପରେ ବାଣ ଫୁଟାଇଲେ ପୁଲିସ ବାନ୍ଧିବାଟା ଥୟ । ବଡ଼କଥା ହେଲା ସବୁଜ ବାଣ ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବି ବନ୍ଧା ହେବେ ।
ଖାଲି ଏତିକି ନୁହେଁ ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର ଡିସିପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି ।
ବଡ଼କଥା ହେଉଛି, ପ୍ରତିବର୍ଷ ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ହେଲେ ଆତସବାଜି ପରେ ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣର ମାତ୍ରା ଅହେତୁକ ଭାବେ ବଢ଼ିଥାଏ, ଦେଖିବା ଏଥର କେତେ ନିୟମ ପାଳନ କରୁଛନ୍ତି ଲୋକେ ।
ଅନ୍ୟପଟେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିସାରିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ ।