କନକ ବ୍ୟୁରୋ : ରାସ୍ତା ଉପରେ ହାଇଡ୍ରାମା I କିଏ ପଥର ଫିଙ୍ଗିଲାଣି ତ କିଏ ଇଟାରେ ଛେଚି ପକାଇଲାଣି I ଆଉ କିଛି ଲୋକ ପୁଲିସ ହାତରୁ ଅପରାଧୀକୁ ଛଡ଼ାଇ ଆଣି ଆଖିବୁଜା ମାଡ଼ ମାରିଲେଣି I ପିସିଆର ଭ୍ୟାନ୍ ଭାଙ୍ଗିବାକୁ ବି ଲୋକ ପଛାଇ ମଥିଲେ I ଜନ ଆକ୍ରୋଶ ଏତେ ଥିଲା ଯେ, ପୁଲିସ ବି ବର୍ତ୍ତି ପାରିନାହିଁ I ମହିଳା ପୁଲିସଙ୍କୁ ବିଚ୍ ରାସ୍ତରେ ଗୋଡ଼େଇ ଗୋଡ଼େଇ ଲୋକ ଲହୁ ଲୁହାଣ କରିଛନ୍ତି I ଭୁବନେଶ୍ବର ଭରତପୁରର ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ସାଧାରଣ ଲୋକ ତାଟି କବାଟ ପକାଇ ଦେଇଥିଲେ I
ଜମିକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ଭିତରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା I ବିବାଦ ସମାଧାନ କରିବାକୁ ଯାଇ ନାକେଦମ୍ ହୋଇଛି ପୁଲିସ । ଅଶୋକ ମହାରଣାଙ୍କୁ ବଡ଼ଭାଇ ଓ ତାଙ୍କ ପରିବାର ମିଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ୬ ଜଣକୁ ବାନ୍ଧିଛି I ପୁଲିସକୁ ମାଡ଼ ଏବଂ ହତ୍ୟା ଉଦ୍ୟମ ଭଳି ୪ଟି ମାମଲା ରୁଜୁ କରିଛି ପୁଲିସ I ଏହି ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ପୁଲିସ ଅନୁମାନ କରୁଛି I ରାଜଧାନୀରେ ଅପରାଧ ବଢୁଛି I ଜାଗା ବ୍ୟବସାୟୀ ସକ୍ରିୟ ହେଉଛନ୍ତି I ମାଲାମାଲ ହେଉଛନ୍ତି ଦଲାଲ, ଆଉ ମାଡ଼ ଖାଉଛି ପୁଲିସ I ଅଭିଯୁକ୍ତମାନେ ଗିରଫ ହୋଇ ଜେଲ ଯାଉଛନ୍ତି, କିନ୍ତୁ ଘଟଣା ପଛରେ ଥିବା ଅସଲ ସତ ଲୁଚି ଯାଉଥିବା ଚର୍ଚ୍ଚା ହେଉଛି I