କନକ ବ୍ୟୁରୋ:ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ଵରରେ କୁକୁର ଗଣତି କରୁଛୁ ବୋଲି ଡିଣ୍ଡିମ ପିଟିଲେ ଏ ବାବଦରେ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ଫଳ ଶୂନ ସ୍ଥିତି ଏପରି ଯେ ତଥ୍ୟ ଦେବାକୁ ବି ଭୁବନେଶ୍ୱର ମହାନଗର ନିଗମ(ବିଏମ୍)କୁ ଲାଜ ମାଡୁଛି । କାରଣ ଯେଉଁମାନେ ଗଣତିରେ ନିୟୋଜିତ ଥିଲେ, ସେମାନେ କୁକୁର ଗଣତି ଠିକ୍ରେ କରି ପାରିଲେନି। କହୁଥିଲେ, ପ୍ରାୟ ୭୦ହଜାର ବୁଲା କୁକୁର ରାଜଧାନୀରେ ଅଛନ୍ତି । କିନ୍ତୁ ଗଣିଲା ବେଳକୁ କୁକୁର ସଂଖ୍ୟା ଏହାର ଅଧାକୁ ଖସି ଆସିଲା । ଏଣୁ ଗଣତି ଠିକ୍ରେ ହୋଇ ନଥିବା ଜାଣିବା ପରେ ଭୁବନେଶ୍ଵର ମହାନଗର ନିଗମ ତଥ୍ୟ ଲୁଚାଇବା ଆରମ୍ଭ କରିଛି । ଅଧିକାରୀଙ୍କୁ ପଚାରିଲେ, ଗଣନା ଶେଷ ପରେ ସଂଖ୍ୟାର ମେଳକ ଚାଲିଛି, ସରିଲେ ତଥ୍ୟ ଦେବୁ କହୁଛନ୍ତି । ଏଭଳି ସ୍ଥିତିରେ କୁକୁର ଗଣତି ନେଇ ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ କ'ଣ ଫାଙ୍କିବାକୁ ଚେଷ୍ଟା କରୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗତ ସେପ୍ଟେମ୍ବରରେ ୬୭ଟି ୱାର୍ଡରେ ଦୁଇଟି ପର୍ଯ୍ୟାୟରେ କୁକୁର ଗଣତି କରିଥିଲା ବିଏମ୍ସି ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ବୁଲାକୁକୁର ଗଣତି କରାଯାଇଥିଲା । ଏଥିପାଇଁ ଜୋନ୍, ୱାର୍ଡ ଓ ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ୪୧୦ଜଣିଆ ଟିମ ଗଠନ କରାଯାଇଥିଲା । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛସାଥୀ, ସ୍ବଚ୍ଛ ସୁପରଭାଇଜର, ସାନିଟାରି ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ୱାର୍ଡ ଅଫିସରମାନେ ବୁଲାକୁକୁର ଗଣତିରେ ନିୟୋଜିତ ହୋଇଥିଲେ । ଏହା ପୂର୍ବରୁ ତିନିଦିନ ଧରି ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ଯେହେତୁ ସକାଳେ କୁକୁର ନିଜ ନିଜ ଜାଗାରେ ଶୋଇଥାନ୍ତି । ଏଣୁ ଭୋର ୫ଟାରୁ ୭ଟା ପର୍ଯ୍ୟନ୍ତ କୁକୁର ଗଣନା ହୋଇଥିଲା । କୁକୁର କାମୁଡ଼ା କମାଇବା ସହ ରାବିସ, ଲେପ୍ଟୋସ୍ପାଇରୋସିସ୍ ଆଦି ସଂକ୍ରମିତ ରୋଗ, ସଡ଼କ ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ କୁକୁର ଗଣନା ହୋଇଥିଲା । ଗଣତି ଦ୍ବାରା ବିଏମସି ଅଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ତାର ଏକ ଡାଟାବେସ୍ ତିଆରି ହୋଇପାରିଥାନ୍ତା । ଯଦ୍ଵାରା ଏକ ସ୍ଥାୟୀ କୁକୁର ସଂଖ୍ୟା ପରିଚାଳନା କାର୍ଯ୍ୟକ୍ରମ ବିକଶିତ କରି ହେବ ଓ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ କରିହେବ ବୋଲି ମେୟର ଓ କମିସନର୍ କହିଥିଲେ । ଏଥିରୁ କେଉଁମାନେ ଆଣ୍ଟିରାବିସ୍ ଟିକା ନେଇଛନ୍ତି ଓ କେଉଁମାନେ ନେଇନାହାନ୍ତି, ଜାଣିହେବ ବୋଲି କହିଥିଲେ ।
ଇତିମଧ୍ୟରେ ବୁଲାକୁକୁର ଗଣତି ସରିବାର ୧୫ ଦିନ ବିତିଗଲାଣି, କିନ୍ତୁ ତଥ୍ୟ ଦେବାକୁ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି । ପଚାରିଲେ, ଭିନ୍ନ ଭିନ୍ନ ଅଧିକାରୀଙ୍କ କଥା କହି ଭୁତାଉଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ପ୍ରଥମ ପର୍ଯ୍ୟାୟରେ ଯେବେ ଭୁବନେଶ୍ବର ମହାନଗର ନିଗମ ବୁଲାକୁକୁର ଗଣତି କଲା ସେତେବେଳେ ବୁଲାକୁକୁର ସଂଖ୍ୟା ପ୍ରାୟ ୩୯ ହଜାର ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ଏହି ସଂଖ୍ୟା ବହୁତ ଳକୁଖସି ଆସିଥିଲା ଠିକ୍ ତଥ୍ୟ ମିଳି ନଥିଲେ ବି କୁହାଯାଉଛି, ପ୍ରାୟ ୨୫ହଜାରକୁ ସଂଖ୍ୟା ଖସି ଆସିଥିଲା । ଏଣୁ ଭୁବନେଶ୍ଵର ମହାନଗର ନିଗମ କର୍ତ୍ତୃପକ୍ଷ ଜାଣିଶୁଣି ଏହି ତଥ୍ୟ ଦେବାକୁ ମନ ବଳାଉନାହାନ୍ତି । ସେପଟେ ଗଣମାଧ୍ୟମକୁ ନ ଦେବାକୁ ଏକ ଅଲିଖିତ ନିର୍ଦ୍ଦେଶନାମା କୁଆଡ଼େ ବିଏମ୍ସି ବଡ଼ବାବୁଙ୍କ ତରଫରୁ ରହିଛି । ଏଣୁ କେହି ବି ଏହି ତଥ୍ୟ ଦେଉନାହାନ୍ତି ।