କନକ ବ୍ୟୁରୋ : ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ପରେ ଗନ୍ତବ୍ୟସ୍ଥଳକୁ ନଯାଇ ଏହା ପୁଣିଥରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ଇଣ୍ଡିଗୋ ବିମାନ ୬ଇ-୬୭୧୭ ରନୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ସମ୍ମୁଖ ଭାଗରେ ପିଟି ହୋଇଥିଲା । ବିମାନ କକ୍‌ପିଟ୍‌ର ସମ୍ମୁଖ କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । 

Advertisment

ନିକଟରେ ଅହମ୍ମଦାବାଦ-ଲଣ୍ଡନ ବିମାନର ଦୁର୍ଘଟଣା ସମସ୍ତଙ୍କ ଆଖି ଆଗରେ ନାଚି ଉଠିଥିଲା । ଆଉ ଯାତ୍ରୀମାନେ ବିମାନରେ ଚିତ୍କାର କରିବାକୁ ଲାଗିଥଇଲେ । ତେବେ ପାଇଲଟ୍ କିଛି ବଡ଼ ସମସ୍ୟା ହୋଇନି ବୋଲି ଘୋଷଣା କରିବାରୁ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ । ଏହାପରେ ବିମାନଟି ପାର୍କିଂସ୍ଥଳୀକୁ ଯିବା ପରେ ଯାତ୍ରୀମାନେ ଆଶ୍ବସ୍ତ ହୋଇଥିଲେ । ତେବେ ଅହମଦାବାଦ ଦୁର୍ଘଟଣା ପରେ ଭୁବନେଶ୍ବର ବିମାନ ବନ୍ଦର ପ୍ରତି ବି ବିପଦ ଆଶଙ୍କା ବଢିଛି । କାହିଁକି ନା ରନୱେ ନିକଟ ପାଚେରୀକୁ  ଲାଗି ଥିବା ଜାଗମରା ଅଞ୍ଚଳରେ ରହିଛି ଖାଇବା ଦୋକାନ । ପ୍ରତିଦିନ ଏଠାରେ ଦୋକାନୀଙ୍କ ବ୍ୟବସାୟୀ ହେଉଛି କିନ୍ତୁ ବାଜିରେ ଲାଗୁଛି ଯାତ୍ରୀଙ୍କ ଜୀବନ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ପ୍ରମୁଖ ବିପଦ ହେଉଛି  ପକ୍ଷୀ ଓ ଆଖାପାଖର ମାଛ ମାଂସ ଦୋକାନ । 

ବିମାନବନ୍ଦର ପାଇଁ ବିପଦ
- ଭୁବନେଶ୍ବର ବିମାନବନ୍ଦର କାନ୍ଥକୁ ଲାଗି ମାଛ ଓ ମାଂସ ଦୋକାନ ଅଛି
- ପାଚେରୀକୁ ଲାଗି ଫାଷ୍ଟଫୁଡ ଦୋକାନ ବି ଅଛି
- ଆବର୍ଜନା ପକାଇବା ପାଇଁ ବୈଭବ ଜୋନ୍ ରହିଛି 
- ଫଳରେ ଅଧିକାଂଶ ସମୟରେ ପକ୍ଷୀ ମାଡ଼ର ଭୟ ରହୁଛି
- ଅନ୍ତର୍ଜାତୀୟ ବିମାନବନ୍ଦର ସତ୍ତ୍ବେ ଭିତ୍ତିଭୂମିର ଅଭାବ ରହୁଛି
- ବିମାନବନ୍ଦର ପାଖକୁ ଜନବସତି ବି ମାଡ଼ିଆସିଲାଣି