କନକ ବ୍ୟୁରୋ : ୪ ଡେସିମିଲରୁ କମ୍ ଜମି ଥିବା ବ୍ୟକ୍ତିଙ୍କୁ ଘର କରିବା ପାଇଁ ଜମି ଯୋଗାଇଦେବେ ସରକାର । କାରଣ ସେମାନଙ୍କୁ ମଧ୍ୟ ଭୂମିହୀନ ଭାବେ ବିଚାର କରାଯିବ । ପୂର୍ବରୁ ରାଜ୍ୟରେ ଭୂମିହୀନଙ୍କ ସର୍ଭେ ସରିଛି । ଗ୍ରାମାଞ୍ଚଳରେ ଆଦୌ ଜମି ନଥିବା ପରିବାର ଚିହ୍ନଟ କରିବାକୁ ଗତବର୍ଷ ୧୬ ଅଗଷ୍ଟରୁ ୩୧ ଅକ୍ଟୋବର ମଧ୍ୟରେ ସର୍ଭେ କରାଯାଇଥିଲା । ଏମାନଙ୍କୁ ଘର ଖଣ୍ଡିଏ କରିବା ପାଇଁ ଜମି ଯୋଗାଇ ଦେବାକୁ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଜମି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି ହେଲେ ଏହାରି ଭିତରେ ବସୁନ୍ଧରା ଯୋଜନାରେ କିଛି ସଂଶୋଧନ କରାଯାଇଛି । ଫଳରେ ୪ ଡେସିମିଲରୁ କମ୍ ଜମି ଥିବା ପରିବାରକୁ ମଧ୍ୟ ଭୂମିହୀନ ଭାବେ ଗଣାଯିବ । ବିଶେଷ କରି ପୂର୍ବରୁ ଥିବା ଯୌଥ ପରିବାର ଭାଗ ଭାଗ ହେବା ପରେ ଅନେକଙ୍କ କ୍ଷେତ୍ରରେ ୪ ଡେସିମିଲରୁ କମ୍ ଜମି ଭାଗ ପଡ଼ିଛି । ତେଣୁ ତୃତୀୟ ପିଢ଼ିଙ୍କୁ ସରକାର ଜମି ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛନ୍ତି । ଏ ସଂପର୍କରେ ସାନି ସର୍ଭେ ଆରମ୍ଭ କରିବାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କନକ ନ୍ୟୁଜକୁ ସରକାରଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ସଂପର୍କରେ ଏକ୍ସକ୍ଲୁସିଭ୍ ସୂଚନା ଦେଇଛନ୍ତି ।